ମଣିପୁରରେ ୬ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ନୂଆଦିଲ୍ଲୀ, ଏଜେନ୍ସି : ରାଜସ୍ଥାନ ପରେ ମଣିପୁରରେ କଂଗ୍ରେସରେ ସଙ୍କଟ ସୃଷ୍ଟି ହୋଇଛି। ଦଳର ୬ ଜଣ ବିଧାୟକ ବାଚସ୍ପତିଙ୍କ ନିକଟରେ ସେମାନଙ୍କ ଇସ୍ତଫାପତ୍ର ଦାଖଲ କରିଛନ୍ତି ବୋଲି ଦଳୀୟ ବିଧାୟକ ଓ’ ହେନେରୀ ସିଂ ମଙ୍ଗଳବାର କହିଛନ୍ତି। ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ସୋମବାର କଂଗ୍ରେସର ୮ ଜଣ ବିଧାୟକ ହ୍ୱିଇପ୍ ଅବମାନନା କରି ବିଧାନସଭାର ଦିନିକିଆ ଅଧିବେଶନରେ ଅନୁପସ୍ଥିତ ରହିଥିଲେ। ଏହାଫଳରେ ବିଜେପି ନେତୃତ୍ୱାଧିନ ଏନ୍ ବିରେନ୍ ସିଂ ସରକାର ଆସ୍ଥା ଭୋଟରେ ବିଜୟୀ ହେଲେ। ଓ’ ହେନେରୀଙ୍କ ବ୍ୟତୀତ ଇସ୍ତଫା ଦେଇଥିବା ଅନ୍ୟ ବିଧାୟକମାନେ ହେଲେ ଓନାମ ଲୁଖୋଇ, ମହମ୍ମଦ ଅବଦୁଲ ନାଜିର, ପାୱନାମ୍ ବ୍ରୋଜେନ୍, ନାଗମ୍ଥାଙ୍ଗ ଓ ଗିନ୍ ସୁଆନାହୋ। ଏହି ବିଧାୟକମାନେ ଓ’ ଇବୋବି ସିଂଙ୍କ ନେତୃତ୍ୱକୁ ବିରୋଧ କରି ଏଭଳି ପଦକ୍ଷେପ ନେଇଛନ୍ତି। ସେମାନେ କହିଛନ୍ତି, କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ଇବୋବି ସିଂଙ୍କ ଯୋଗୁଁ ରାଜ୍ୟରେ ସରକାର ଗଠନ କରିବାରେ ବିଫଳ ହୋଇଥିଲା। ଗତ ସୋମବାର ବିଧାନସଭା ଅଧିବେଶନ ସରିବା ପରେ ବାଚସ୍ପତି ୟୁମନାମ ଖେମଚାନ୍ଦ ସିଂ ଏହି ବିଧାୟକମାନଙ୍କୁ ଡକାଇ ସେମାନଙ୍କ ଇସ୍ତଫାପତ୍ର ଯାଞ୍ଚ କରିଥିଲେ। ତେବେ ବାଚସ୍ପତି ଏ ପର୍ଯ୍ୟନ୍ତ ଇସ୍ତଫାପତ୍ର ଗ୍ରହଣ କରିନାହାନ୍ତି। ପରେ ଏହି ବିଧାୟକମାନେ ଦଳର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେବେ ବୋଲି ହେନେରୀ ସିଂ କହିଛନ୍ତି।