ଜାପାନୀ ଜ୍ୱର ପରେ ପୁଣି ଅଜଣା ରୋଗର ଆତଙ୍କ: ୧୫ ଦିନରେ ଗଲାଣି ୬ ଶିଶୁଙ୍କ ଜୀବନ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ର ତାମନପାଲି ଗାଁରେ ଅଜଣା ରୋଗର ଆତଙ୍କ। ଗତ ୧୫ ଦିନ ମଧ୍ୟରେ ଗାଁରେ ଅଜଣା ରୋଗରେ ୬ ଜଣ ଶିଶୁଙ୍କ ମୃତ୍ୟୁ ହେଲାଣି । ଏବେବି ୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଖବର ପାଇ ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିବା ସହ ରୋଗର କାରଣ ଅନୁଧ୍ୟାନ କରିଛନ୍ତି। ୠୁରୁତର
ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି।

ତେବେ ପ୍ରଥମେ ଶିଶୁଙ୍କୁ ଥଣ୍ଡା, ଜର, ବାନ୍ତି ଏବଂ କାଶ ହେବା ପରେ ଦୁଇରୁ ତିନି ଦିନ ମଧ୍ୟରେ ସେମାନଙ୍କ ମୁତ୍ୟୁ ଘଟୁଛି। ତେବେ ପ୍ରତିକୂଳ ପାଗ ଯୋଗୁଁ ପିଲାଙ୍କୁ ଏଭଳି ଜର ହେଉଥିବା ଡାକ୍ତର କହିଛନ୍ତି। ଶିଶୁମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି।

ଏହି ଘଟଣା ପରେ ତାମନପାଲୀ ଗାଁରେ ଭୟର ଆତଙ୍କ ଦେଖିବାକୁ ମିଳିଛି। ଏମିତିକି ଆଖପାଖ ଗାଁଲୋକେ ମଧ୍ୟ ଭୟଭୀତ ହୋଇପଡ଼ିଛନ୍ତି। ଗତ ଦୁଇ ବର୍ଷ ତଳେ ଜିଲ୍ଲାରେ ଜାପାନୀ ଏନସେଫାଲାଇଟିସ୍‌ ରୋଗରେ ୧୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଥିଲା।