୫୯୫ କିଲୋ ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ,ଜୟପୁର,ଏନ୍ଏନ୍ଏସ୍ : ବୈପାରିଗୁଡ଼ା ଓ ଜୟପୁର ଟାଉନ୍ ଥାନା ପୁଲିସ ୫୯୪ କିଲୋ ୭୦୦ ଗ୍ରାମ ଗଞ୍ଜେଇ ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହିତ ଗୋଟିଏ ପିକଅପ୍ ଭ୍ୟାନ୍ ଓ ଗୋଟିଏ କାର ମଧ୍ୟ ଜବତ ହୋଇଛି। ମିଳିଥିବା ରିପୋର୍ଟ ମୁତାବିକ, ଓଡି-୨୪ ୮୧୦୬ ନମ୍ବର ଥିବା ଏକ ପିକଅପ୍ ଭ୍ୟାନ୍ ମାଲକାନଗିରି ଆଡ଼ୁ ଆସୁଥିବାବେଳେ ବୈପାରିଗୁଡ଼ା ପୁଲିସ୍ ନୂଆଗୁଡ଼ା ଛକ ନିକଟରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଭ୍ୟାନରୁ ୫୬୮ କିଲୋ ୫୦୦ ଗ୍ରାମ୍ ଗଞ୍ଜେଇ ମିଳିଥିଲା। ତେବେ କୌଶଳକ୍ରମେ ପିକଅପ୍ ଭ୍ୟାନ୍ ଡ୍ରାଇଭର୍ ଘଟଣାସ୍ଥଳରୁ ଚମ୍ପଟ ମାରି ଖସି ପଳାଇଥିବା ଜଣାପଡ଼ିଛି। ଜବତ ଗଞ୍ଜେଇ ମାଲକାନଗିରିରୁ ନବରଙ୍ଗପୁରକୁ ଚାଲାଣ ହେଉଥିବା ପୁଲିସ୍ ସନ୍ଦେହ କରୁଛି। ସେହିପରି ଜୟପୁର ଟାଉନ୍ ଥାନା ପୁଲିସ୍ ମଧ୍ୟ ୟୁପି-୩୩ବିଜେ ୯୭୧୮ ନମ୍ବର କାରକୁ ଚେକିଂ କରି କାରରୁ ୧୨୬ କିଲୋ ୨୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଥିବାବେଳେ ଚୋରା ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୩ଜଣ ହେଲେ ଉତ୍ତରପ୍ରଦେଶ ବାରାବାଙ୍କି ଜିଲ୍ଲା ଟିକାୟତ ନଗର ଥାନା ବାଅନସଗାଁର ରାଜେନ୍ଦ୍ର ପ୍ରତାପ ସିଂହ(୩୭), କୁଲଦୀପ ସିଂହ(୧୯) ଓ ମାନ ସିଂହ(୩୪)। ପୁଲିସ ଗିରଫ ଅଭିଯୁକ୍ତଙ୍କଠାରୁ ଗଞ୍ଜେଇ, କାର୍ ସହ ନଗଦ ୬୨ ହଜାର ୫୦୦ ଟଙ୍କା, ଭିଭୋ ମୋବାଇଲ୍ ଫୋନ୍, ଏଟିଏମ୍ କାର୍ଡ, ପାନ୍ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଜବତ କରିଛି।