୫୬୮ କିଲୋ ଗଞ୍ଜେଇ ଜବତ: ଟ୍ରକ ଡ୍ରାଇଭର ଫେରାର

କୋରାପୁଟ,ଏନ୍ଏନ୍ଏସ୍ : ନନ୍ଦପୁର ପୁଲିସ ଦ୍ୱାରା ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି। ଗତକାଲି ରାତିରେ ସବଇନ୍ସପେକ୍ଟର ଏମ କେ ଭୋଇଙ୍କ ନେତୃତ୍ୱରେ ବ୍ଲକ୍ ଅଫିସ୍ ନିକଟରେ ଚେକିଂ ନିମନ୍ତେ ରୋଡ୍ ବ୍ଲକିଂ କରାଯାଇଥିଲା। ସେତେବେଳେ ପାଡୁଆ ଆଡ଼ୁ ଏକ ଟ୍ରକ୍ ଦ୍ରୁତ ଗତିରେ ଆସୁଥିଲା ହେଲେ ରାସ୍ତା ଉପରେ ପୁଲିସକୁ ଦେଖି କିଛି ଦୂରରେ ଅଟକି ଯାଇଥିଲା। ପୁଲିସ୍ ଟ୍ରକ୍ ନିକଟକୁ ଯିବା ମଧ୍ୟରେ ଟ୍ରକ୍ ଡ୍ରାଇଭର୍ ଓ ଅନ୍ୟଜଣେ ଗାଡ଼ିରୁ ଓହ୍ଲାଇ ପଡ଼ି ଅନ୍ଧାରର ସୁଯୋଗ ନେଇ ଉଭାନ୍ ହୋଇ ଯାଇଥିଲେ। ଟ୍ରକକୁ ନନ୍ଦପୁର ଥାନାକୁ ନେଇ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ୨୭ଟି ପଲିଥିନ୍ ଅଖାରେ ଗଞ୍ଜେଇ ପେକିଂ ହୋଇଥିବାବେଳେ ଜବତ ଗଞ୍ଜେଇର ଓଜନ ୫୬୮ କିଲୋ ୪୪୦ ଗ୍ରାମ୍ ବୋଲି ଜଣାପଡ଼ିଛି। ପୁଲିସ ଚୋରା ଗଞ୍ଜେଇ ଚାଲାଣରେ ଲିପ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଥିବା ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।