ନୂଆଦିଲ୍ଲୀ,ଏଜେନ୍ସି: ଶନିବାର ସୁଦ୍ଧା ପୁରା ଭାରତରେ ୪୫,୬୭୪ ନୂଆ କୋଭିଡ-୧୯ କେସ୍ ଚିହ୍ନଟ ହୋଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୫,୦୭,୭୫୪ରେ ପହଞ୍ଚିଛି। ଏଥିସହିତ କରୋନାରେ ଆଉ ୫୫୯ ଜଣ ପ୍ରାଣ ହରାଇ ମୋଟ ମୃତ୍ୟୁ ସଂଖ୍ୟା ୧,୨୬,୧୨୧କୁ ଛୁଇଁଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ମୋଟ ସୁସ୍ଥଙ୍କ ମଧ୍ୟରୁ ଦେଶର ୧୦ଟି ରାଜ୍ୟରୁ ୮୦ ପ୍ରତିଶତ ରୋଗୀ ସୁସ୍ଥ ହେଉଛନ୍ତି। ଫଳରେ ବର୍ତ୍ତମାନ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୭୮,୬୮,୯୬୮ରେ ପହଞ୍ଚିଛି। ସେଥିରୁ ଶନିବାର ସୁଦ୍ଧା ୪୯,୦୮୨ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ୫,୧୨,୬୬୫ ଜଣ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
କରୋନାରେ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ବର୍ତ୍ତମାନ ମହାରାଷ୍ଟ୍ରରେ ୧,୦୩,୦୦୭ ଜଣ କରୋନା ରୋଗୀ ସକ୍ରିୟ ଥିବାବେଳେ ୪୪,୯୬୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହା ପରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ, କେରଳ ଓ ଦିଲ୍ଲୀ ମଧ୍ୟ ସଂକ୍ରମଣ ତାଲିକା ଅନୁସାରେ ଉପରେ ରହିଛନ୍ତି।