ମମତା ଦିଦି ଶୁଣିଲେନି, ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ସାହାଯ୍ୟ ଜୀବନ ଥିବା ଯାଏଁ ଭୁଲିବୁ ନାହିଁ

ମାଲକାନଗିର,ଏନ୍ଏନ୍ଏସ୍ : ଲକଡାଉନ ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ବିଭିନ୍ନ ରାଜ୍ୟରେ ଫସି ରହିଥିବାରୁ ରାଜ୍ୟ ସରକାର ଫସି ରହିଥିବା ଶ୍ରମିକଙ୍କୁ ଆଣିବାକୁ ନିଷ୍ପତି ଗ୍ରହଣ କରିବା ପରେ ଶ୍ରମିକଙ୍କ ଘର ମୁହାଁ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ରାଜ୍ୟର ୫୫ ଜଣ ଶ୍ରମିକ ତେଲେଙ୍ଗାନର ସିକନ୍ଦ୍ରାବାଦରେ କାମ କରିବାକୁ ଯାଇ ଲକଡାଇନ ଯୋଗୁଁ ଫସି ରହିଥିଲେ। ପରେ ଚାଲି ଚାଲି ଆନ୍ଧ୍ର-ଛତିଶଗଡ଼ ସୀମାନ୍ତ ମାଲକାନଗିରି ଜିଲ୍ଲାର ମୋଟୁ ଦେଇ ଶ୍ରମିକମାନେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ତାଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରାଯାଇଛି। ପଶ୍ଚିମବଙ୍ଗ ମୂଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବାରମ୍ବାର ଗୁହାରୀ କରିବା ପରେ କୌଣସି ସୁଫଳ ମିଳିନଥିଲା। କିନ୍ତୁ ଓଡ଼ିଶା ସରକାର ଓ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଆମ ଦୁଃଖକଷ୍ଟକୁ ବୁଝିଛନ୍ତି ଓ ଆମ ଘରକୁ ପଠାଇବାର ବ୍ୟବସ୍ଥା କରିଛନ୍ତି।

ରାଜ୍ୟ ସରକାର ଓ ମାଲକାନଗିରି ଜିଲ୍ଲାପାଳ ଯେଉଁ ସାହାଯ୍ୟ ଓ ସହଯୋଗ ଦେଇଛନ୍ତି, ତାହା ଆମେ ଜୀବନ ଥିବା ଯାଏଁ ଭୂଲିବୁ ନାହିଁ ବୋଲି ପ୍ରବାସୀ ଶ୍ରମିକମାନେ ପ୍ରକାଶ କରିଛନ୍ତି। ପଶ୍ଚମିବଙ୍ଗ ରାଜ୍ୟର ମୁର୍ସିଦାବାଦ ଜିଲ୍ଲାର ୨୯ ଜଣ, ବର୍ଦ୍ଧମାନ ଜିଲ୍ଲାର ୯ ଜଣ, ମାଲଦା ଉତର ଦିନାୟକପୁର ଜିଲ୍ଲାର ୨ ଜଣ, ବାଙ୍କୁଣ୍ଡା ଜିଲ୍ଲାର ୯ ଜଣଙ୍କ ସମେତ ମୋଟ ୫୫ ଜଣ ଶ୍ରମିକ ତେଲେଙ୍ଗାନାର ରାଜ୍ୟର ହାଇଦ୍ରାବାଦ ଓ ସିକନ୍ଦ୍ରାବାଦ କାମ କରିବାକୁ ଯାଇଥିଲେ। ତେବେ ଲକଡାଉନ ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ହୋଇଯିବାରୁ ଏମାନଙ୍କ ମଧ୍ୟରୁ ଅନେକ ଶ୍ରମିକ ପ୍ରାୟ ୪୫୦ କିଲୋମିଟର ଚାଲି ଚାଲି ୧୫ ଦିନ ପରେ ମୋଟୁ ପହଂଚିଥିଲେ। ରାସ୍ତାରେ ନଇନାଳର ଜଳ ପିଇ ଏମାନେ ଆନ୍ଧ୍ର –ଛତିଶଗଡ଼ ସୀମାନ୍ତ ମାଲକାନଗିରି ଜିଲ୍ଲାର ମୋଟୁ ଦେଇ ପ୍ରବେଶ କରିଥିଲେ। ରାସ୍ତାରେ ସାହାଯ୍ୟ ପାଇଁ ଗୁହାରୀ କରିଲେ ,ଆମକୁ ମାରିବା ପାଇଁ ଗୋଡ଼ାଉଥିଲେ ବୋଲି ପ୍ରକାଶ କରିଛନ୍ତି।

ବହୁ କଷ୍ଟ ସ୍ୱୀକାର କରି ମୋଟୁରେ ପହଂଚିବା ପରେ ସେମାନଙ୍କର ରେଜିଷ୍ଟ୍ରେସନ କରାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା, ଥର୍ମାଲ ଯାଂଚ ସହ ଖାଦ୍ୟ ପ୍ରଦାନ କରାଯାଇଥିଲା। ତେବେ ଇତିମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରିବା ସତ୍ୱେ କୌଣସି ସୁଫଳ ନ ମିଳିବାରୁ ମାଲକାନଗିରି ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲୁ। ପରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଆମକୁ ପଠାଇବାର ବ୍ୟବସ୍ଥା କରିବା ସହ ମୋଟୁଠାରୁ ମାଲକାନଗିରିଠାରେ ଆସି ପହଂଚିବା ପରେ ଜିଲ୍ଲାପାଳ ଆମ ଦୁଃଖ ଶୁଣିଥିଲେ। ପରେ ସୁଖିଲା ଖାଦ୍ୟ ଓ ପ୍ରତ୍ୟେକଙ୍କୁ ୫ ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରି ସାହାଯ୍ୟ କରିଥିବା ପ୍ରକାଶ କରିଛନ୍ତି।

ଏହି ଅର୍ଥ ମାଲକାନଗିରି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବହନ କରିଥିବା ଜଣାପଡ଼ିଛି। ସେମାନଙ୍କ ସମସ୍ୟା ବିଷୟରେ ଅବଗତ ହେବା ପରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ସେମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଆଜି ମୋଟୁରୁ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲା ପର୍ଯ୍ୟନ୍ତ ପଠାଯାଇଛି। ସେଠାରୁ ମେଦିନାପୁର ଜିଲ୍ଲାପାଳ ସେମାନଙ୍କ ନିଜ ନିଜର ଘରକୁ ପଠାଇବାର ବ୍ୟବସ୍ଥା କରିବେ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡି.ଆର.ଡି.ଏର ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୁୟାଁ ଓ ଗ୍ରାମ୍ୟ ନିର୍ମାଣ ବିଭାଜନର-୨ର ନିର୍ବାହୀ ଯନ୍ତ୍ରୀ କେ.ବାରା ପ୍ରସାଦ ରାଓ, କନିଷ୍ଟ ଯନ୍ତ୍ରୀ ପ୍ରଶାନ୍ତ ବେହେରାଙ୍କ ସମେତ ବହୁ ଅଧିକାରୀ ଯାଗ ଦେଇଥିଲେ।