ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ପୁଲିସ ୫୫ କେଜି ଗଞ୍ଜେଇ ସହ ୪ ଜଣ ଆନ୍ତଃଜିଲ୍ଲା ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବାପୁନା ଶେଠ୍, ଗଣେଶ ଦାସ, କାହୁଁ ଚରଣ ପାତ୍ର ଓ ଗୋକୁଳା ନନ୍ଦ ସାମଲ । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଫିରିଙ୍ଗିଆ ପୁଲିସକୁ ଖବର ମିଳିଥିଲା । ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ବରେବାଟା ଗାଁ ନିକଟ ରାସ୍ତାରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ବାଲେନୋ କାରକୁ ଅଟକାଇବା ପରେ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା । ପରେ ଘଟଣାସ୍ଥଳରୁ କାରକୁ ଜବତ କରିବା ସହ ସେଥିରେ ବସିଥିବା ୪ଜଣକୁ ଅଟକ ରଖିବା ପରେ ସେମାନେ ବାହାର ଜିଲ୍ଲାର ପେଶାଦାର ଗଞ୍ଜେଇ ମାଫିଆ ହୋଇଥିବା ଜଣା ପଡ଼ିଥିଲା । ଏନେଇ ଫିରିଙ୍ଗିଆ ଥାନରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।