ଅଗଷ୍ଟ ୬ରେ ୫୦୮ ରେଳ ଷ୍ଟେସନର ପୁର୍ନବିକାଶ ଲାଗି ମୋଦୀ କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୬ ସକାଳ ୧୧ଟାରେ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ସମଗ୍ର ଦେଶରେ ୫୦୮ ରେଲୱେ ଷ୍ଟେସନର ପୁର୍ନବିକାଶ ଲାଗି ଶିଳାନ୍ୟାସ କରିବେ । ଏଥିରେ ମୋଟ ୨୪ହଜାର ୪୭୦କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପୁର୍ନବିକାଶ କାମ ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ କରାଯିବ । ଏହି ଯୋଜନାରେ ମୋଟ ୧୩୦୯ ଷ୍ଟେସନର ପୁର୍ନବିକାଶ କରାଯିବ ।

ଏହି ୫୦୮ ଷ୍ଟେସନରେ ୨୭ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସାମିଲ ରହିଛି । ସେଥିମଧ୍ୟରୁ ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ୫୫ ଲେଖାଏଁ, ବିହାରରେ ୪୯, ମହାରାଷ୍ଟ୍ରରେ ୪୪, ପଶ୍ଚିମବଙ୍ଗରେ ୩୭, ମଧ୍ୟପ୍ରଦେଶରେ ୩୪, ଆସାମରେ ୩୨, ଓଡ଼ିଶାରେ ୨୫, ପଞ୍ଜାବରେ ୨୨, ଗୁଜରାଟ ଓ ତେଲେଙ୍ଗାନାରେ ୨୧ ଲେଖାଏଁ, ଝାଡ଼ଖଣ୍ଡରେ ୨୦, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ୧୮ ଲେଖାଏଁ, ହରିୟାଣାରେ ୧୫ ଓ କର୍ଣ୍ଣାଟକରେ ୧୩ ଷ୍ଟେସନ ସାମିଲ ରହିଛି ।