ଅଯୋଧ୍ୟା,ଏଜେନ୍ସି: ଭଗବାନ ଶ୍ରୀରାମଙ୍କ ନଗରୀରେ ପବିତ୍ର ଦୀପାବଳି ଅବସରରେ ଗତ ୧ ତାରିଖ ଠାରୁ ଦୀପୋତ୍ସବ ଆରମ୍ଭ ହୋଇଯାଇଛି। ସମାରୋହର ପ୍ରଥମ ୨ ଦିନରେ ଦେଶ-ବିଦେଶର କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶ୍ରୀଲଙ୍କା ଓ ନେପାଳର କଳାକାର ମାନେ ଅଯୋଧ୍ୟାରେ ରାମଲୀଳା ପ୍ରଦର୍ଶନ କରିଥିବା ବେଳେ ଜମୁ କଶ୍ମୀର, ବିହାର, ପଶ୍ଚିମବଙ୍ଗ ଓ ଗୁଜରାଟର କଳାକାରମାନେ ସେମାନଙ୍କର ଉନ୍ନତ ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରିଛନ୍ତି।
ତେବେ ଚଳିତ ବର୍ଷର ଦୀପୋତ୍ସବର ଅନ୍ୟତମ ମୁଖ୍ୟ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ୬ଟାରୁ ସାଢ଼େ ୬ଟା ମଧ୍ୟରେ ହେବ। ଏଥି ପାଇଁ ଯୋଗୀ ସରକାର ଓ ଅଯୋଧ୍ୟା ପ୍ରସାଶନ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇସାରିଛନ୍ତି। ଉତ୍ତର ପ୍ରଦେଶର ୭୫ଟି ଜିଲ୍ଲାରେ ଥିବା ୯୦ ହଜାର ଗାଁରୁ ୫ଟି ଲେଖାଏଁ ମାଟି ଦୀପ ଆସିଛି। ଏଗୁଡ଼ିକ ଆଜି ଯେତେବେଳେ ଏକକାଳୀନ ଜଳିବ, ଗିନିଜ୍ ବୁକ୍ସ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବ। ଏହି ଲକ୍ଷ୍ୟରେ ଏତେ ବଡ଼ଧରଣର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଅଯୋଧ୍ୟା ଜିଲ୍ଲାପାଳ ନିତୀଶ କୁମାର ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଦୀପୋତ୍ସବ ପାଇଁ ୧୨ ହଜାର ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ସାକେତ କଲେଜରୁ ୧୩ଟି ମେଢ଼ ବାହାରିବ ଓ ରାମକଥା ପାର୍କ ପର୍ଯ୍ୟନ୍ତ ଏହା ଯିବ। ଏହି ଅବସରରେ ଲେଜର ଶୋ’ର ଆୟୋଜନ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅଯୋଧ୍ୟା ପହଞ୍ଚିପାରନ୍ତି। ସେ ସରଯୂ ନଦୀକୂଳରେ ଆରତୀ କରିବାର କାର୍ଯ୍ୟକ୍ରମ ରହିଛି।