ଯାଜପୁର,ଏନ୍ଏନ୍ଏସ୍: ଟେକ୍ନୋଲୋଜିର ଯେତିକି ଦ୍ରୁତ ଅଗ୍ରଗତି ହେଉଛି ଠକମାନଙ୍କ ଠକେଇ ମଧ୍ୟ ସେହି ଅନୁଯାୟୀ ତାଳ ଦେଇ ବଢ଼ୁଛି। ସତର୍କତାରେ ଟିକଏ ଖାପଛଡ଼ା ହେଲେ ଆକାଉଣ୍ଟରୁ ଉଡ଼ି ଯାଉଛି ଲକ୍ଷାଧିକ ଟଙ୍କା। ଯାଜପୁରର ବିଭିନ୍ନ ସୁନା ଦୋକାନରେ ପଏଣ୍ଟ ଅଫ ସେଲ(ପିଓଏସ୍) ସ୍ୱାଇପ୍ ମେସିନି ଲଗାଇ ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଠକି ନେଇଛନ୍ତି ଠକ। ତେବେ ଏଭଳି ଅଭିଯୋଗର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସୁନିଲ ନାୟକ ଓ ତାଙ୍କ ପତ୍ନୀ ମାଳତି ନାୟକଙ୍କ ସମେତ ୪ ଠକଙ୍କୁ ଗିରଫ କରିଛି ଯାଜପୁର ପୁଲିସ। ସେମାନଙ୍କ ଠାରୁ ପ୍ରଚୁର ପରିମାଣର ଟଙ୍କା ସହ ଚେକ୍ ବୁକ୍, ବ୍ୟାଙ୍କ ପାସ୍ ବୁକ୍ ଓ ଏଟିଏମ୍ କାର୍ଡ ପ୍ରଭୃତି ଜବତ କରାଯାଇଛି। ଏନେଇ ଆଜି ଯାଜପୁର ଏସଡିପିଓ ସରୋଜ ଉପାଧ୍ୟାୟ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
