ଦେବଗଡ଼,ଏନ୍ଏନ୍ଏସ୍: କଥା ଦେଇ କଥା ରଖିଲେ ୫ ଟି ସଚିବ ଭି କେ ପାଣ୍ଡିଆନ । ଶ୍ରାବଣ ଦ୍ୱିତୀୟ ସୋମବାରରେ ଦେବଗଡ଼ ଜିଲ୍ଲାର ପ୍ରାଚୀନ ଶୈବପୀଠ ଝାଡ଼େଶ୍ୱର ମହାଦେବଙ୍କ ମନ୍ଦିର ପରିଦର୍ଶନ ବେଳେ ମନ୍ଦିରର ଉନ୍ନତି ପାଇଁ ୫ ଟି ସଚିବ କଥା ଦେଇଥିଲେ । ଶ୍ରାବଣ ଶେଷ ସୋମବାର ପୂର୍ବରୁ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଛନ୍ତି । ଦେବଗଡ଼ ଜିଲ୍ଲା ପାଇଁ ରାଜ୍ୟ ସରକାରଙ୍କ ବିକାଶର ତ୍ୱରିତ ପଦକ୍ଷେପକୁ ଭକ୍ତଙ୍କଠାରୁ ସେବାୟତ ସମସ୍ତେ ଭୁରିଭୁରି ପ୍ରଶଂସା କରିଛନ୍ତି । ମନ୍ଦିର ଫଳକରେ ଉଲ୍ଲେକ୍ଷିତ ଥିବା ତଥ୍ୟ ଅନୁଯାୟୀ ଦେଶ ସ୍ୱାଧୀନତାର ୩ ଦଶନ୍ଧି ପୂର୍ବରୁ ତତ୍କାଳୀନ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ କାର୍ଯ୍ୟକାଳରେ ସ୍ଥାପିତ ଏହି ଶୈବ ପୀଠର ପରିଚାଳନା କିଛି ବର୍ଷ ପୂର୍ବରୁ ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା କରାଯାଉଛି । ଏଠାକୁ ଦେବଗଡ଼ ସମେତ ପଡ଼ୋଶୀ ଜିଲ୍ଲା ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଓ କେନ୍ଦୁଝର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବୋଲବମ ଭକ୍ତଙ୍କ ସୁଅ ଛୁଟୁଥିବାବେଳେ ମହା ଶିବରାତ୍ରି ପାଇଁ ଏହି ମନ୍ଦିରର ବିଶେଷ ପରିଚୟ ରହିଛି । ତେବେ ଅର୍ଥାଭାବ କାରଣରୁ ମନ୍ଦିରର ସାଜସଜ୍ଜା ଓ ରକ୍ଷଣାବେକ୍ଷଣ ବାଧିତ ହେଉଥିଲା । ତେବେ ଗତ ଜୁଲାଇ ମାସରେ ୫ଟି ସଚିବଙ୍କ ଦେବଗଡ଼ ଜିଲ୍ଲା ଗସ୍ତବେଳେ ସେ ଏହି ମନ୍ଦିର ପରିଦର୍ଶନ କରିଥିଲେ । ୫ଟି ସଚିବଙ୍କ ମନ୍ଦିର ପରିଦର୍ଶନ ବେଳେ ମନ୍ଦିର ପରିଚାଳନା କମିଟି ଓ ସେବାୟତମାନେ ଏହି ମନ୍ଦିରର ବିକାଶ ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାବାସୀଙ୍କ ଅନୁରୋଧକୁ ରକ୍ଷା କରି ମାସକ ମଧ୍ୟରେ ରାଜ୍ୟ ସରକାର ଝାଡ଼େଶ୍ୱର ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଜିଲ୍ଲାବାସୀ ପ୍ରଶଂସା କରିଥିବାବେଳେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ଓ ମନ୍ଦିର ସେବାୟତ ବୃନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ।