ଦେଢ଼ ମାସରେ ଅଜଣା ରୋଗରେ ଗଲାଣି ୫ ଜୀବନ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ପଡ଼ିଆ ବ୍ଲକ ଭେଞ୍ଚନପାଲ୍ଲୀ ଗ୍ରାମରେ ଅଜଣା ରୋଗରେ ୫ ଜଣ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୧୦ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି। ପ୍ରଥମେ ରୋଗୀଙ୍କ ହାତଗୋଡ଼ ଫୁଲିବା ସହ ପେଟ ଫୁଲିବାରେ ଲାଗୁଛି। ଏହାପରେ ଖାଇବା ପିଇବାରେ ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି। ସଚେତନତା ଅଭାବରୁ ରୋଗୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନ ଯାଇ ଗୁଣିଗାରିଡ଼ି ଉପରେ ନିର୍ଭର କରୁଛନ୍ତି। ଫଳସ୍ୱରୂପ ଗୋଟିଏ ପରେ ଗୋଟିଏ ଜୀବନ ଯିବାରେ ଲାଗିଛି। ଗ୍ରାମର ଗଙ୍ଗା ବାଟା, ଯୋଗେନ୍ଦ୍ର ବାଟା, ମୁକା ଓ ବାଟା ଗଙ୍ଗାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଗ୍ରାମର ସୋମା ମାଡ଼ି, ଗଙ୍ଗା କରାମୀ, ଇର୍ମା ମାଡ଼ି , ମୁକେ ଓ ଅନ୍ୟମାନେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଖବର ମିଳିବା ପରେ ଆଜି ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସହ ଏକ ଦଳ ସମ୍ପୃକ୍ତ ଗ୍ରାମ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନୁଧ୍ୟାନ ପରେ ରୋଗ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ.ପ୍ରଫୁଲ୍ଲ କୁମାର ନନ୍ଦ କହିଛନ୍ତି।