କଲେଜ ଛାତ୍ରକୁ ଆଣ୍ଠେଇବା ଘଟଣା : ୫ଗିରଫ

ଖଲ୍ଲିକୋଟ,ଏନ୍ଏନ୍ଏସ୍: ଖଲ୍ଲିକୋଟ ବସଷ୍ଟାଣ୍ଡରେ ବୁଧବାର ଦିନ ଦ୍ୱିପ୍ରହରରେ କଲେଜ ଛାତ୍ର ପ୍ରମୋଦ ଶବରକୁ କେତେ ଜଣ ଯୁବକ ସର୍ବସମ୍ମୁଖରେ ଆଣ୍ଠେଇବା ସହ କାନ ଧରି ଉଠ୍ ବସ୍ କରାଇବା ଏବଂ ବିଧା ଗୋଇଠା ମାରିବା ଘଟଣାରେ ପୁଲିସ ୫ଜଣକୁ ଗିରଫ କରିଛି। ସେମାନେ ହେଲେ ତଳରାମପଲ୍ଲୀ ଗ୍ରାମର ରତ୍ନାକର ମହାପାତ୍ର, ବ୍ରଜବନ୍ଧୁ ପାଢ଼ୀ, ସନ୍ତୋଷ ପରିଡା, ଖୋଜାପଲ୍ଲୀ ଗ୍ରାମର ଅଭିମନ୍ୟୁ ଲେଙ୍କା ଓ କୈରାଶୀ ଗ୍ରାମର ମହେଶ୍ୱର ପରିଡ଼ା। ରତ୍ନାକର, ବ୍ରଜବନ୍ଧୁ, ସନ୍ତୋଷ ଓ ଅଭିମନ୍ୟୁଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।

ମହେଶ୍ୱରକୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି। ସିବିଏସଇ ପଢ଼ୁଥିବା ଜଣେ ଛାତ୍ରୀଙ୍କ କମେଣ୍ଟ ମାରିବାକୁ ନେଇ ଏହି ଘଟଣା ଘଟିଥିଲା। ପ୍ରମୋଦ ଟିଉସନରୁ ଘରକୁ ଫେରୁଥିବା ବେଳେ କେତେକ ଯୁବକ ତାକୁ ଥାନାକୁ ଯିବା କହି ବାଇକରେ ବସାଇ ବସଷ୍ଟାଣ୍ଡକୁ ନେଇଥିଲେ। ସେଠାରେ ଆଣ୍ଠେଇବା ସହ ଉଠ୍ ବସ୍ କରାଇଥିଲେ। ଏନେଇ ଭିଡିଓ ଭାଇରାଲ ହେଲା ପୁଲିସ ତଦନ୍ତ କରି ସମ୍ପୃକ୍ତ ଯୁବକମାନଙ୍କୁ ଗିରଫ କରିଥିଲା।