ବରଗଡ଼ ଧନୁଯାତ୍ରାର ଚତୁର୍ଥ ସନ୍ଧ୍ୟା

ବରଗଡ଼,ଏନ୍‌ଏନ୍‌ଏସ୍‌: ବରଗଡ଼ରେ ଅନୁଷ୍ଠିତ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଚତୁର୍ଥ ସନ୍ଧ୍ୟା ଶେଷ ହୋଇଛି । ଏଥିରେ ବିଭିନ୍ନ ଦୃଶ୍ୟ ମଞ୍ଚସ୍ଥ ହୋଇଛି । ଭଉଣୀ ଦେବକୀର ୬ଜଣ ଶିଶୁଙ୍କୁ ଦର୍ପଣ ଶିଳାରେ କଚାଡ଼ି ମାରିବା ପରେ ସପ୍ତମ ଗର୍ଭର ଶିଶୁ କନ୍ୟା ଆକାଶ ମାର୍ଗରେ ଅନ୍ତରଧ୍ୟାନ ହୋଇ କଂସ ତୋତେ ମାରିବ ଯିଏ ଗୋପରେ ବଢୁଛି ସିଏ ଏହିପରି ଶୂନ୍ୟବାଣୀ ପରେ ମୃତ୍ୟୁ ଭୟରେ ମହାରାଜା କଂସ ଆତଙ୍କିତ ହୋଇପଡ଼ିଛନ୍ତି । ପରେ ମହାରାଜା ମନ୍ତ୍ରଣାଳୟରେ ମନ୍ତ୍ରଣା କରି ପୁତନା, ବକା, ଶକଟା, ତୃଣା, ଧେନୁକା ଓ ଶଣ୍ଢାସୁର ପ୍ରଭୃତି ମଲ୍ଲଙ୍କୁ ଆବାହନ କରି ଭଣଜା କୃଷ୍ଣ, ବଳରାମଙ୍କୁ ହତ୍ୟା କରିବା ପାଇଁ ଗୋପପୁରକୁ ପ୍ରେରଣ କରିଛନ୍ତି । ସେହିପରି ମହାରାଜାଙ୍କ ଆମୋଦ ପ୍ରମୋଦ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । କଂସ ମହାରାଜା ଏହି ଭୟରୁ ମୁକ୍ତି ପାଇବା ପାଇଁ ଆରାଧ୍ୟ ଠାକୁର ମୁକ୍ତେଶ୍ୱର ଶିବଙ୍କ ଦର୍ଶନ କରିବା ସହ ରୁଦ୍ରାଭିଷେକ କରିଛନ୍ତି । ଅନ୍ୟପଟେ କୃଷ୍ଣ ଓ ବଳରାମଙ୍କ ଦ୍ୱାରା ଷଡ଼ମଲ୍ଲଙ୍କ ନିଧନ ହୋଇଛନ୍ତି । ଘରେ ଘରେ ଭଗବାନ କୃଷ୍ଣ ଓ ବଳରାମଙ୍କ ପୂଜାର୍ଚ୍ଚନା କରାଯାଇଛି ।