ଇତିହାସ ରଚିଲେ ୪ ମହିଳା ପାଇଲଟ

ବେଙ୍ଗାଲୁର,ଏଜେନ୍ସି: ଆଦର୍ଶ ପାଲଟିଲେ ୪ ମହିଳା ପାଇଲଟ। ନୂଆ ଇତିହାସ ରଚିବା ସହ ଅତିକ୍ରମ କରିଛନ୍ତି ବିଶ୍ୱର ସବୁଠାରୁ ଦୀର୍ଘତମ ବିମାନ ମାର୍ଗ। ଏୟାର ଇଣ୍ଡିଆର ୪ ଜଣ ମହିଳା ପାଇଲଟର ଏକ ଟିମ ବିଶ୍ୱର ଦୀର୍ଘତମ ବିମାନ ମାର୍ଗ ଉତ୍ତର ପୋଲ (ସାନ ଫ୍ରାନ୍ସିସ୍କୋ)ରୁ ବିମାନ ଉଡାଇ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି। ଯାହା ୧୬,୦୦୦ କିଲୋମିଟର ଦୂର। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟୁଇଟ କରି କହିଛନ୍ତି, ‘ଆମେ କେବଳ ଉତ୍ତର ପୋଲ ଉପରେ ଉଡ଼ିବା ଦ୍ୱାରା ନୁହେଁ ବରଂ ସମସ୍ତ ମହିଳା ପାଇଲଟଙ୍କ ସଫଳତାରେ ବିଶ୍ୱ ଇତିହାସ ସୃଷ୍ଟି କରିଛୁ’। ଏହାର ଅଂଶ ହୋଇଥିବାରୁ ଆମେ ଅତ୍ୟନ୍ତ ଖୁସି ଏବଂ ଗର୍ବିତ। ଏହି ମାର୍ଗ ଅତିକ୍ରମ କରି ଆମେ ୧୦ ଟନ୍ ଇନ୍ଧନ ସଞ୍ଚୟ କରିଛୁ ବୋଲି ବେଙ୍ଗାଲୁରୁ ବିମାନବନ୍ଦରର କ୍ୟାପଟେନ ଜୋୟା ଅଗ୍ରୱାଲ କହିଛନ୍ତି। ତାଙ୍କ ସହିତ ସହକର୍ମୀ ତଥା କୋ ପାଇଲଟ ପାପଗରୀ, ତନ୍ମୟୀ, କ୍ୟାପଟେନ ଶିବାନୀ ଓ କ୍ୟାପଟେନ ଆକାଂକ୍ଷା ସୋନୱରେ ଥିଲେ।

ଏହା ଏକ ରୋମାଞ୍ଚକର ଅନୁଭୂତି ଥିଲା। କାରଣ ଏହା ପୂର୍ବରୁ କେବେ ଏତେ ଲମ୍ବା ଯାତ୍ରା କରାଯାଇନଥିଲା। ଏହି ପଥ ଅତିକ୍ରମ କରିବା ପାଇଁ ୧୭ ଘଣ୍ଟା ସମୟ ଲାଗିଥିଲା ବୋଲି କ୍ୟାପଟେନ ଶିବାନୀ କହିଛନ୍ତି।

ତେବେ ଏୟାର ଇଣ୍ଡିଆ ପକ୍ଷରୁ ଟୁଇଟରରେ କୁହାଯାଇଛି, ୱେଲକମ ହୋମ, ଆମେ ଆପଣମାନଙ୍କୁ ନେଇ ଗର୍ବ ଅନୁଭବ କରୁଛୁ। ଆମେ ଏଆଇ-୧୭୬ରେ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛୁ। ଯେଉଁମାନେ ଏହି ଐତିହାସିକ ଯାତ୍ରାରେ ଅଂଶଗ୍ରହଣ କରିଥିଲେ।