ହାତୀ ଆକ୍ରମଣରେ ୪ ମୃତ

ସଇଁନ୍ତଳା,ବରଗଡ଼,ଏନ୍ଏନ୍ଏସ୍: ହାତୀ ନେଲା ୪ ଜୀବନ। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଭରସୂଜା ପଂଚାୟତ ଅନ୍ତର୍ଗତ ଦର୍ଲିପାଲି ଗାଁରେ ହାତୀ ପାଦ ତଳେ ପଡ଼ି ଜଣଙ୍କ ଜୀବନ ଯାଇଥିବାବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ନିକଟରେ ହାତୀ ୩ ଜଣଙ୍କୁ ଦଳି ଦେଇଥିବା ଜଣାପଡ଼ିଛି। ଏପରି ଅଘଟଣ ନିମନ୍ତେ ବନ ବିଭାଗର ନିଷ୍କ୍ରିୟତାକୁ ଦାୟୀ କରି ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଗାଇସିଲଟ ବ୍ଲକ ଉମରଟ ଗାଁର ୩ଜଣ ଆଜି ସକାଳୁ ଶୌଚ ପାଇଁ ଗାଁ ନିକଟ ଜମିକୁ ଯାଇଥିବାବେଳେ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ଦଳି ଦେବାରୁ ଘଟଣାସ୍ଥଳରେ ୩ଜଣ ଆଖି ବୁଜିଥିଲେ। ମୃତକଙ୍କ ପରିଚୟ ମିଳି ନଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି। ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି। ଫରେଷ୍ଟରଙ୍କ ସମେତ ବନ ବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଉତ୍ତେଜନା ଥମିବାର ନାଁ ନେଉନି। ଗ୍ରାବବାସୀ ମୃତକଙ୍କ ପରିବାରବର୍ଗଙ୍କ ନିମନ୍ତେ କ୍ଷତିପୂରଣ ଦାବି କରିଛନ୍ତି। ବନ ବିଭାଗ ହାତୀଙ୍କ ଗତିବିଧୀ ସମ୍ପର୍କରେ ପୂର୍ବରୁ କିପରି ଖବର ପାଇପାରୁନି ତଥା ଲୋକଙ୍କୁ ସଚେତନ କରିପାରୁନି ସେନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ଫରେଷ୍ଟର କହିଛନ୍ତି ଯେ, ଏହି ରାସ୍ତା ହାତୀ ଚଲାପଥ ହୋଇନଥିବା ବେଳେ ଭୁଲବଶତଃ ପାଣି କିମ୍ବା ଖାଦ୍ୟ ପାଇଁ ସେମାନେ ବାଟ ହୁଡ଼ି ଏ ଦିଗକୁ ପଳାଇ ଆସିଛନ୍ତି। ଏବେ ସେମାନେ ବଲାଙ୍ଗିର ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳକୁ ପଳାଇଥିବା ଜଣାପଡ଼ିଛି। ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି।

ସେହିପରି ଆଜି ସକାଳେ ନିଜ ଜମିକୁ ଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଭରସୂଜା ପଂଚାୟତ ଅନ୍ତର୍ଗତ ଦର୍ଲିପାଲି ଗାଁର ଚାଷୀ ବିରଞ୍ଚି ସାହୁ ହାତୀ ହାବୁଡ଼ରେ ପଡ଼ି ପ୍ରାଣ ହରାଇଛନ୍ତି। ତୁରନ୍ତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ସ୍ଥାନୀୟ ସରପଂଚ ଏବଂ ଗାଁ ଲୋକେ ଦାବି କରିଛନ୍ତି ।