ଆଜି ୪ ପଜିଟିଭ ଚିହ୍ନଟ: ୧୦୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡାରେ ଆଜି ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଛିି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବୋଲପାହାଡ ଅଞ୍ଚଳର ବୋଲି ଜଣାପଡିଛି। ମୁମ୍ବାଇରୁ ଜଣେ ୩୦ ବର୍ଷିୟ ଯୁବକ ଗତ ୨୧ ତାରିଖ ବେଲପାହାଡ ଆସିଥିଲେ। ତାଙ୍କୁ ପ୍ରଶାସନ ପକ୍ଷରୁ କ୍ୱାରେଣ୍ଟାଇନ ସେଣ୍ଟରେ ରଖାଯାଇ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଗତ ୨୫ ତାରିଖରେ ତାଙ୍କର ସ୍ୱାବ ପଜିଟିଭ ଆସିବାପରେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ପରିବାରବର୍ଗଙ୍କୁ କଲେଜ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା।

ସେମାନଙ୍କ ମଧ୍ୟରୁ ଆଜି ଜଣେ ୨୮ ବର୍ଷିୟ ପୁରୁଷ ଓ ୨୬ ବର୍ଷିୟ ମହିଳାଙ୍କର ସ୍ୱାବ ପଜିଟିଭ ଆସିଛି। ସେହିପରି ଗତ ୨୨ ତାରିଖ ପଶ୍ଚିମବଙ୍ଗରୁ ନିଜ ପରିବାର ସହ ଜଣେ ୧୦ ବର୍ଷର ବାଳକ ଓ ୨୦ ତାରିଖ ବିହାରରୁ ଜଣେ ୩୩ ବର୍ଷିୟ ବ୍ୟକ୍ତି ବେଲପାହାଡ଼ ଆସିଥିଲେ। ୨୭ ତାରିଖ ସ୍ୱାବ ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଥିଲା। ଆଜି ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ସେମନାଙ୍କୁ ଝାରସୁଗୁଡା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି।