ବଜ୍ରକାପ୍ତା ଚୋରା ଚାଳାଣ ବେଳେ ୪ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ପାଳଲହଡ଼ା ଫରେଷ୍ଟ ରେଞ୍ଜ ଅଞ୍ଚଳରୁ ବଜ୍ରକାପ୍ତା ଚୋରାରେ ଚାଲାଣ କରୁଥିବା ବେଳେ ପୁଲିସ ୪ଜଣଙ୍କୁ ଗିରଫ କରିବା ସହ ବଜ୍ରକାପ୍ତା ଜବତ କରି କୋର୍ଟ ଚାଲାଣ କରାଯାଉଥିବା ବନ ଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ବନବିଭାଗର ସୂଚନା ଅନୁସାରେ ଦେବଗଡ଼ ବନଖଣ୍ଡ ପାଳଲହଡ଼ା ରେଞ୍ଜ ଜମରଡିହି ସେକ୍ସନ ଅଞ୍ଚଳରୁ ଅନ୍ୟ ରାଜ୍ୟକୁ ବଜ୍ରକାପ୍ତା ବେଆଇନ ଭାବେ ଚାଲାଣ ହେଉଥିବା ଖବର ପାଇ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ପାଳଲହଡ଼ା ରେଞ୍ଜ ଅଧିକାରୀ ଦୁର୍ଯ୍ୟୋଧନ ଜରାଇ, ଡେପୁଟି ରେଞ୍ଜ ଅଫିସର ମହେନ୍ଦ୍ର ସାହୁ ଓ ଫରେଷ୍ଟର ମନ୍ମଥ ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଜମରଡିହି ଅଞ୍ଚଳରେ ଛକି ରହିଥିଲେ।

ଗତକାଲି ସକାଳେ ଜଗମୋହନପୁର ଗ୍ରାମର ମୁନା ମୁଣ୍ଡା, ପଟ୍ଟାମୁଣ୍ଡ ଗ୍ରାମର ସନ୍ତୋଷ ମହାକୁଡ଼ ଓ କୈଳାସ ନାଏକ ଏବଂ ଟାଇଁସିରା ଗ୍ରାମର ଗଣନାଥ ନାଏକ ନାମକ ୪ଜଣ ଯୁବକ ବଜ୍ରକାପ୍ତା ନେଇ ଯାଉଥିବା ବେଳେ ପୂର୍ବରୁ ଜଗି ରହିଥିବା ବନ କର୍ମଚାରୀ ମାନେ ସେମାନଙ୍କୁ କାବୁ କରିଥିଲେ। ଏହି ସମୟରେ ସେମାନଙ୍କ ନିକଟରୁ ଏକ ଜୀବିତ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା।