ପ୍ୟାକେଜ ଘୋଷଣାର ତୃତୀୟ ପର୍ଯ୍ୟାୟ: କୃଷି କ୍ଷେତ୍ରରେ ବିନିଯୋଗ କରାଯିବ ୧ ଲକ୍ଷ କୋଟି

ନୂଆଦିଲ୍ଲୀ,ଏଜେନ୍ସି: ଦେଶବାସୀଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ତେବେ ଏହି ଅର୍ଥ କେଉଁ କ୍ଷେତ୍ରରେ କେତେ ପରିମାଣରେ ଖର୍ଚ୍ଚ ହେବ ସେ ନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ଚାର୍ଟ ପ୍ରସ୍ତୁତ ହୋଇଛି। ତେବେ ଏହି ପରିପ୍ରେକ୍ଷୀରେ ଗତ ଦୁଇ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ ଘୋଷଣା କରିଆସୁଥିବା ବେଳେ ଆଜି ଏହାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିରେ କୃଷି ପାଇଁ ଆର୍ଥିକ ପ୍ୟାକେଜ ଆଜି ଘୋଷଣା କରାଯାଇଛି।

କୃଷିର ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହ କୃଷିଜାତ ଦ୍ରବ୍ୟର ରକ୍ଷଣାବେକ୍ଷଣ କ୍ଷେତ୍ରରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ। ଅଧିକ ଶୀତଳ ଭଣ୍ଡାର, ଗୋଦାମ ନିର୍ମାଣ, ପ୍ରାଥମିକ ସମବାୟ ସମିତି, କୃଷକ ସମିତି ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ।

ମହୁ ଚାଷ ପାଇଁ ୫୦୦ କୋଟି ଘୋଷଣା କରାଯାଇଛି। ୨ ଲକ୍ଷ ମହୁ ଚାଷୀଙ୍କ ପାଇଁ ଘୋଷଣା। ତେବେ କୃଷି କ୍ଲଷ୍ଟର ପାଇଁ ୧୦ ହଜାର କୋଟି ଟଙ୍କା ଘୋଷଣା ହୋଇଛି। ଲୋକାଲ ସାମଗ୍ରୀକୁ ଗ୍ଲୋବାଲ କରିବାକୁ ଟଙ୍କା ଖର୍ଚ୍ଚ କରାଯିବ। ତେଲେଙ୍ଗାନାରେ ହଳଦୀ, ଆନ୍ଧ୍ରରେ ଲଙ୍କା, କାଶ୍ମୀରରେ କଶର, କର୍ଣ୍ଣାଟକରେ ରାଗିକୁ ନେଇ କ୍ଲଷ୍ଟର ହେବ। ତେବେ ସ୍ଥାନୀୟ ଉତ୍ପାଦକୁ ଅଗ୍ରାଧିକାର ଦେବାକୁ ୧୦ ହଜାର କୋଟି ଅନୁଦାନ ଦିଆଯାଇଥିବା ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।