୩ ଦୁଷ୍କର୍ମକାରୀଙ୍କୁ ମିଳିଲା ୨୦ ବର୍ଷ ଜେଲ ଦଣ୍ଡ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବନହରପାଲି ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିବା ୩ଜଣ ଦୁଷ୍କର୍ମକାରୀଙ୍କୁ ଆଜି ୨୦ ବର୍ଷ ପାଇଁ ଜେଲ ଦଣ୍ଡ ମିଳିଛି। ଜେଲ ଦଣ୍ଡ ମିଳିଥିବା ଅଭିଯୁକ୍ତ ରମାକାନ୍ତ ନାୟକ, ପ୍ରକାଶ ନାୟକ ଓ ବାବଲୁ ମିର୍ଦ୍ଧା ବୋଲି ସୂଚନା ମିଳିଛି।

ସୂଚନାନୁଯାୟୀ, ଗତ ୨୦୧୫ ମସିହା ଜୁନ ମାସ ୨୩ ତାରିଖ ବନହରପାଲି ଅଞ୍ଚଳର ଜଣେ ମହିଳା ନିକଟସ୍ଥ ଡୁଙ୍ଗୁରିକୁ ଶୌଚ ପାଇଁ ଯାଇଥିବାବେଳେ ଏହି ଅଭିଯୁକ୍ତମାନେ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏନେଇ ମହିଳା ଜଣକ ବନହରପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଜି ଝାରସୁଗୁଡ଼ା ଜିଲ୍ଲା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲା ଦୌରାଜଜ ହରପ୍ରସାଦ ପଟ୍ଟନାୟକ ଏହି ମାମଲାର ଶୁଣାଣି କରି ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଓ ୫ ହଜାର ଟଙ୍କା ଲେଖାଏଁ ଜରିମାନା ପୈଠ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତମାନେ ଜୋରିମାନା ପୈଠ ନକଲେ ସେମାନଙ୍କ ଜେଲ ଦଣ୍ଡାଦେଶ ଆହୁରି ୬ ମାସ ଯାଏଁ ବୃଦ୍ଧି କରାଯିବ ବୋଲି ଶ୍ରୀ ପଟ୍ଟନାୟକ ରାୟ ପ୍ରକାଶ କରିଛନ୍ତି। ୧୯ଜଣ ସାକ୍ଷୀଙ୍କୁ ପଚରାଉଚୁରା କରିବା ପରେ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର ସତପାଲ ସିଂ ମାମଲଟିକୁ ପରିଚାଳନା କରିଥିଲେ।