‘କୋଭିଡ୍-୧୯ରେ ପ୍ରାଣ ହରାଇଛନ୍ତି ୩୮୨ ଡାକ୍ତର’: ଆଇଏମଏ

ନୂଆଦିଲ୍ଲୀ,ଏଜେନ୍ସି: ସଂସଦରେ କରୋନା ଭାଇରସ୍ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବିବୃତ୍ତି ରଖିଥିଲା ବେଳେ ଏଥିରେ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମ୍ଏ) ଅସନ୍ତୋଷ ପ୍ରକାଶ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ସଂସଦରେ ଦେଇଥିବା ବିବୃତ୍ତିରେ କୋଭିଡ୍-୧୯ ସଂକ୍ରମଣରେ ପ୍ରାଣ ହରାଇଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିଷୟରେ କିଛି ହେଲେ ଉଲ୍ଳେଖ ନକରିବା ଘଟଣାକୁ ଘୋର ବିରୋଧ କରିଛି ଆଇଏମଏ। ଦେଶରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ୩୮୨ ଜଣ ଡାକ୍ତରଙ୍କ ତାଲିକା ପ୍ରକାଶ କରି ସେମାନଙ୍କୁ ‘ସହିଦ’ ଘୋଷଣା କରାଯିବାକୁ ଦାବି କରିଛି ଆଇଏମଏ। ଆଇଏମଏ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ ତଥ୍ୟ ଅନୁଯାୟୀ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା କାଳରେ ୨,୨୩୮ ଜଣ ଡାକ୍ତର ଏହି ରୋଗରେ ସଂକ୍ରମିତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୩୮୨ ଜଣ ପ୍ରାଣ ହରାଇଥିଲେ। ଏହା ସତ୍ୱେ ସଂସଦରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଦେଇଥିବା ବିବୃତ୍ତିରେ ଏ ସମ୍ପର୍କରେ କୌଣସି ଉଲ୍ଲେଖ ନରହିବା ପରିତାପର ବିଷୟ।