ମାଲକାନଗିରିରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ: ମାଲକାନଗିରି ପୌର ପରିଷଦ ଓ ବାଲିମେଳା ଏନଏସି ବୋଫର ଜୋନ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ୩୮ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୧କୁ ବୃଦ୍ଧି ପାଇଛି। ଅନ୍ୟପଟେ ଜଣେ ୫୪ ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେ କରୋନା ବ୍ୟତୀତ କିଡନୀ ରୋଗରେ ପୀଡ଼ିତ ଥିଲେ ଓ ଭୁବନେଶ୍ୱରସ୍ଥିତ କିମ୍ସରେ ଚିକିତ୍ସିତ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଅଞ୍ଚଳର ୨୬ ଜଣ, ବାଲିମେଳା ଏନଏସିର ୭ ଜଣ, ମାଥିଲି ବ୍ଲକର ୨ ଜଣ, ଚିତ୍ରକୋଣ୍ଡା, କାଲିମେଳା ଓ ଖଇରପୁଟ ବ୍ଲକର ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୧ ହୋଇଥିବାବେଳେ ୪୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତ। ଅନ୍ୟପଟେ ୨ଜଣଙ୍କର ମୃତ୍ୟୁ ଘଟଛିି ଓ ୨୬୬ ଜଣ ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ ମାଲକାନଗିରି ପୌର ପରିଷଦ ଓ ବାଲିମେଳା ଏନଏସିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ବୋଫର ଜୋନ ଭାବେ ଘୋଷଣା କରାଯାଇଛି। ଲୋକେ କୋଭିଡ ନିୟମ ମାନୁନଥିବାରୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଆଜି ରାତ୍ରି ୮ଟାରୁ ଆସନ୍ତା ୨୦ ତାରିଖ ରାତ୍ରି ୧୨ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକୀୟ ଦୋକାନଗୁଡ଼ିକୁ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହି ସମୟରେ ଫଳ, ପନିପରିବା, ଦୁଗ୍ଧ, ମାଛ, ମାଂସ , ସାର ଓ ଔଷଧ ଦୋକାନ ସକାଳ ୭ଟାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ଏହାବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ଖୋଲିବା ଉପରେ କଟକଣା ଲଗାଯାଇଛି। ଏହି ନିୟମକୁ ଉଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି