ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସହିତ ସକ୍ରିୟ ପ୍ରଶାସନ ଏବଂ ସମୟ ଉପଯୋଗୀ କାର୍ଯ୍ୟକାରିତା ଲାଗି ଆଇସିଟି ଆଧାରିତ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର ୩୫ ତମ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ୯ଟି ପ୍ରକଳ୍ପ ଏବଂ ଗୋଟିଏ ଯୋଜନା ସମେତ ୧୦ଟି ପ୍ରସଙ୍ଗରେ ସମୀକ୍ଷା କରାଯାଇଛି। ଏହି ୯ଟି ପ୍ରକଳ୍ପ ମଧ୍ୟରେ ରେଳ ମନ୍ତ୍ରଣାଳୟର ୩ଟି ପ୍ରକଳ୍ପ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ୩ଟି ଏବଂ ଡିପିଆଇଆଇଟି, ଶକ୍ତି ମନ୍ତ୍ରଣାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଗୋଟିଏ ଲେଖାଏଁ ପ୍ରକଳ୍ପ ସାମିଲ ରହିଛି।
ମୋଟ ୫୪,୬୭୫ କୋଟି ଟଙ୍କାର ଏହି ୯ଟି ପ୍ରକଳ୍ପ ୧୫ଟି ରାଜ୍ୟ (ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, ଝାଡ଼ଖଣ୍ଡ, ବିହାର, ତେଲଙ୍ଗାନା, ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ, ହରିୟାଣା, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ)ରେ କାର୍ଯ୍ୟକାରୀ ହେଉଛି। ପ୍ରଧାନମନ୍ତ୍ରୀ ଏହି ସମୀକ୍ଷା ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନାର ମଧ୍ୟ ସମୀକ୍ଷା କରିଥିଲେ।
ଭିତ୍ତିଭୂମି ପ୍ରକଳ୍ପରେ ବାଧକ ସାଜୁଥିବା ପ୍ରସଙ୍ଗଗୁଡ଼ିକର ତ୍ୱରିତ ସମାଧାନ ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ମଧ୍ୟ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନାର ବ୍ୟାପକ ପ୍ରଚାର ଏବଂ ଏହାର ପ୍ରଭାବକୁ ବୃଦ୍ଧି କରିବା ଲାଗି ପ୍ରଯୁକ୍ତିର ଉପଯୋଗ ସୁନିଶ୍ଚିତ କରିବା ସକାଶେ ଫାର୍ମାସ୍ୟୁଟିକାଲ୍ସ ବିଭାଗ ଓ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦେଇଥିଲେ। ପ୍ରଗତିର ୩୪ତମ ବୈଠକ ସୁଦ୍ଧା ମୋଟ ୧୩.୧୪ ଲକ୍ଷ କୋଟି ଟଙ୍କାର ୨୮୩ଟି ପ୍ରକଳ୍ପର ସମୀକ୍ଷା କରାଯାଇସାରିଛି।