୩୩ କିଲୋ ଗଞ୍ଜେଇ ଜବତ: ଜଣେ ଗିରଫ 

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ଏମଭି-୧୭ ଗ୍ରାମରୁ  ୩୩ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ପୁଲିସ ଜଣକୁ ଗିରଫ କରିଛି। ଏଥିସହ ଏହି କାରବାରରେ ଲିପ୍ତ ଅନ୍ୟ ୩ଜଣଙ୍କ ନାମରେ ମାମଲା ରୁଜୁ କରିଛି। ମିଳିଥିବା ରିପୋର୍ଟ ମୁତାବକ, ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମଭି-୧୭ ଗ୍ରାମ ନିକଟସ୍ଥ ୩୨୬ ଜାତୀୟ ରାଜପଥରେ ଗତକାଲି ରାତିରେ ମାଲକାନଗିରି ଆଦର୍ଶ ଥାନାର ପୁଲିସ ଏସଆଇ ଭବାନୀ ଶଙ୍କର ସାହୁଙ୍କ ନେତୃତ୍ୱରେ କର୍ମଚାରୀମାନେ ପେଟ୍ରୋଲିଂ କରି ଗାଡ଼ି ଯାଞ୍ଚ କରୁଥିଲେ। ତେବେ ଏହି ସମୟରେ ଏକ ବାଇକ ଯୋଗେ କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୦ ଗ୍ରାମର ସାଗର ଦାସ ୨ଟି ବସ୍ତା ନେଇ ଶିଖପାଲ୍ଲୀ ପଟୁ ଦ୍ରୁତ ଗତିରେ ଏମଭି-୧୭ ଗ୍ରାମ ଆଡ଼କୁ ଆସୁଥିଲା। ତେବେ ପୁଲିସକୁ ଦେଖି କିଛି ଦୂରରେ ବାଇକ ରଖି ନିକଟସ୍ଥ ଧାନ କ୍ଷେତ ଆଡ଼କୁ ଦୌଡ଼ିଥିଲା। ସେଥିପାଇଁ ପୁଲିସ ସନ୍ଦେହ କରି ତାକୁ ଗୋଡ଼ାଇ ଗୋଡ଼ାଇ ଧରି ଦୌଡ଼ିବାର କାରଣ ସମ୍ପର୍କରେ ପଚାରିଥିଲା। ପରେ ସେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ପୁଲିସ ସମ୍ମୁଖରେ ସ୍ୱୀକାର କରିଥିଲା। ଅଭିଯୁକ୍ତଠାରୁ  ଗଞ୍ଜେଇ ସମେତ ବାଇକ, ଗୋଟିଏ ମୋବାଇଲ ଫୋନ ଓ ୧୨ଶହ ଟଙ୍କା ଜବତ କରାଯାଇଛି। ପରେ ଓଜନ କରିବାରୁ ମୋଟ ୩୩ କିଲୋଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଛି। ଅଧିକ ପଚରାଉଚୁରା କରିବାରୁ ଏହି ଗଞ୍ଜେଇ ଚୋରା ଚାଲାଣରେ ଅଭିଯୁକ୍ତର ପିତା ଶଙ୍କର ଦାସ, ହାଇଦ୍ରାବାଦର ନରେଶ ଓ ଦିଲ୍ଲୀର ବଣ୍ଟି ସଂପୃକ୍ତ ଥିବା ସେ ପ୍ରକାଶ କରିଥିଲା। ସାଗର ଓ ତା’ ପିତା ଶଙ୍କର ଜିଲ୍ଲାର ପପୁଲୁର ଓ କୁର୍ମାନୁର ଅଞ୍ଚଳରୁ ଗଞ୍ଜେଇ କୋରାପୁଟ ପର୍ଯ୍ୟନ୍ତ ଚୋରା ଚାଲାଣ କରିବା ପରେ ଅନ୍ୟ ୨ ଜଣ ସେଗୁଡ଼ିକୁ ଦିଲ୍ଲୀକୁ ଚାଲାଣ କରୁଥିବା ଅଭିଯୁକ୍ତ କହିଛି। ପୁଲିସ ଅଭିଯୁକ୍ତ ସାଗରକୁ ଗିରଫ କରିବା ସହ ଏହି କାରବାରରେ ସଂପୃକ୍ତ ଅନ୍ୟ ୩ଜଣଙ୍କ ନାମରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।