ଏୟାର ଇଣ୍ଡିଆ ବିମାନରେ ଚୀନରୁ ୩୨୪ଜଣ ଭାରତୀୟ ନୂଆଦିଲ୍ଲୀରେ ପହଞ୍ଚିଲେ

ନୂଆଦିଲ୍ଲୀ,ଏଜେନ୍ସି: କୋରୋନା ଭାଇରସ୍‌ ପ୍ରପୀଡ଼ିତ ଚୀନର ଉହାନ୍‌ ପ୍ରଦେଶରୁ ୩୨୪ଜଣ ଭାରତୀୟଙ୍କୁ ଧରି ଏୟାର୍‌ ଇଣ୍ଡିଆର ଜମ୍ବୋ ବି୭୪୭ ବିମାନ ଶନିବାର ସକାଳେ ଦିଲ୍ଲୀରେ ଅବତରଣ କରିଛି। ସକାଳ ପ୍ରାୟ ୭: ୩୦ରେ ସେ ବିମାନଟି ଦିଲ୍ଲୀରେ ପହଞ୍ଚିଥିବା କଥା ଜଣାପଡ଼ିଛି। କୋରୋନା ଭାଇରସ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନରେ ୨୫୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣଙ୍କ ରକ୍ତ ନମୁନାରେ ଏହି ସଂକ୍ରମଣ ଥିବା ଗଣମାଧ୍ୟମରେ ପ୍ରକାଶ ହୋଇଛି। ବିଶ୍ୱର ୧୮ଟି ଦେଶକୁ କୋରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଇତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ଜରୁରୀକାଳନୀ ଘୋଷଣା କରାଯାଇଛି । ଭାଇରସ ଯୋଗୁଁ କେବଳ ଚୀନରେ ୧୨ ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି ।

୩୨୪ ଜଣ ଭାରତୀୟ ଭାରତ ଅଭିମୁଖେ ଆସିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜମ୍ବୋ-୭୪୭ ବିମାନରେ ଏହି ଛାତ୍ରମାନେ ଆସିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ବିମାନ ଚୀନରୁ ଉଡ଼ିଥିଲା । ଶନିବାର ସକାଳୁ ଏହା ଭାରତରେ ପହଞ୍ଚିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି । ବିମାନରେ ଦିଲ୍ଲୀସ୍ଥିତ ରାମ ମନୋହର ଲୋହିୟା ହସ୍ପିଟାଲର ୫ ଜଣ ଡାକ୍ତର ଟିମ ଅଛନ୍ତି ।

ବିମାନରେ ଡାକ୍ତରୀ ଟିମ ବ୍ୟତୀତ ପାରା ମେଡିକାଲ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଜରୁରୀକାଳୀନ ଔଷଧ, ମାସ୍କ, ଓଭରକୋଟ ଓ ପ୍ୟାକ ହୋଇଥିବା ଭୋଜନର ବ୍ୟବସ୍ଥା ରହିଛି। ସେହିଭଳି ଇଞ୍ଜିନିୟର ଓ ସୁରକ୍ଷା ଅଧିକାରୀଙ୍କ ଏକ ଟିମ ମଧ୍ୟ ବିମାନରେ ଅଛନ୍ତି ।

ଭାରତ ସରକାର ଚୀନରୁ ଆସିଥିବା ଛାତ୍ରମାନଙ୍କୁ ଦିଲ୍ଲୀର ଛାୱଲା ଓ ହରିୟାଣାର ମାନେସର ଶିବିରରେ ରଖିବାକୁ ବ୍ୟବସ୍ଥା କରିଛି। ବର୍ତ୍ତମାନ ୩୨୪ଜଣ ଭାରତୀୟ ଫେରୁଛନ୍ତି। ଭାରତ ସରକାର ଏହି ଭାରତୀୟ ନାଗରିକମାନଙ୍କୁ ୨ସପ୍ତାହ ଯାଏଁ ଅଲଗା ରଖିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁସାରେ ଚୀନରୁ ଫେରନ୍ତା ଭାରତୀୟଙ୍କୁ ଆଇଟିବିପି ଓ ଇଣ୍ଡିଆନ ଆର୍ମି ଫୋର୍ସ ମେଡିକାଲ ଭବନରେ ରଖାଯିବ ବୋଲି ଜଣାଯାଇଛି।