- ଶ୍ରୀନଗର: ସ୍କୁଲ ଖୋଲିବା ମାତ୍ରେ ବ୍ୟାପିଛି ମହାମାରୀ କରୋନା। ଜମ୍ମୁକଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ଥାନାମଣ୍ଡି ଅଞ୍ଚଳରେ ଥିବା ଗୋଟିଏ ଘରୋଇ ସ୍କୁଲରେ ଏକାଥରକେ ୩୨ ଜଣ ପିଲାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମହାମାରୀ କରୋନା ପାଇଁ ଜମ୍ମୁ-କଶ୍ମୀରରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା।
- ତେବେ ସଂକ୍ରମଣ ହ୍ରାସ ପାଇବାରୁ ଆଜି ଶିକ୍ଷାନୁଷ୍ଠାନ ଖୋଲିଥିଲା। ପ୍ରଥମ ଦିନରେ ସ୍ୱାସ୍ଥ୍ୟ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ପିଲାଙ୍କ କରୋନା ଟେଷ୍ଟ କରିଛନ୍ତି। ଏହି ସମୟରେ ଥାନାମଣ୍ଡିରେ ଥିବା ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନର ୩୨ ଜଣ ପିଲା କରୋନାରେ ଆକ୍ରାନ୍ତ ଥିବା ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ ହୋଇଛି।
- ଶିକ୍ଷାର୍ଥୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି। ସେହିପରି ଘରୋଇ ଶିକ୍ଷାନୁଷ୍ଠାନକୁ ସାନିଟାଇଜ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ପ୍ରଶାସନ ଉକ୍ତ ଅନୁଷ୍ଠାନକୁ ବନ୍ଦ ଘୋଷଣା କରିଛି। ରଜୌରୀର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ଆଜି ସ୍କୁଲ ଆସିଥିବା ପିଲାମାନଙ୍କ ନମୁନା ପରୀକ୍ଷା କରାଯାଇଥିଲା।
- ଏହି ସମୟରେ ୩୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସମସ୍ତେ ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ୁଥିବାବେଳେ ଥାନା ମଣ୍ଡିର ବିଭିନ୍ନ ଗାଁରେ ଏମାନଙ୍କ ଘର। ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ସମସ୍ତଙ୍କୁ କରୋନା କେୟାର ୟୁନିଟକୁ ସ୍ଥାନନ୍ତର କରାଯାଇଛି। ପିଲାମାନେ ରହୁଥିବା ଗାଁଗୁଡ଼ିକରେ ମଧ୍ୟ ଟେଷ୍ଟିଂ ଆରମ୍ଭ ହୋଇଛି। ଗୋଷ୍ଠୀ ସଂକ୍ରମଣ ଯେମିତି ନହେବ, ସେଥିପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।