ଦେବଗଡ଼ରେ ୩୨ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲାର ଶିକ୍ଷା ଭିତ୍ତିଭୂମି ବିକାଶକୁ ତ୍ୱରାନିତ କରିବା ପାଇଁ ୩୨ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଦେବଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ପିୟୁଷ ପ୍ରଭାକର ପ୍ରମୁଖ ମଞ୍ଚାସୀନ ରହିଥିଲେ। ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସିଧାପ୍ରସାରଣ ମାଧ୍ୟମରେ କାର୍ଯ୍ୟକ୍ରମକୁ ଦେଖିଥିଲେ। ରାଜ୍ୟ ସରକାରଙ୍କ ୫ଟି ଉପକ୍ରମରେ ୨୪ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରଥମ ପର୍ଯ୍ୟାୟରେ ୩୨ଟି ରୂପାନ୍ତରିତ ସ୍କୁଲ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମରେ ସରକାରଙ୍କ ପକ୍ଷରୁ ଦେବଗଡ଼ ଜିଲ୍ଲାର ୮୭ଟି ହାଇସ୍କୁଲକୁ ଚିହ୍ନଟ କରାଯାଇଥିବାବେଳେ ପ୍ରତ୍ୟକ ହାଇସ୍କୁଲକୁ ୬୦ଲକ୍ଷ ଟଙ୍କାର ଅନୁଦାନ କରାଯାଇଛି। ଏହାଦ୍ୱାରା ବିଦ୍ୟାଳୟର ନୂତନ ଶ୍ରେଣୀ କୋଠରୀ, ଇ-କ୍ଲାସରୁମ, ଇ-ଲାଇବ୍ରେରୀ, ବିଜ୍ଞାନଗାର, ଶୁଦ୍ଧ ପାନୀୟ ଜଳ, ଇନଭର୍ଟର, ଖେଳପଡ଼ିଆ ଉନ୍ନତୀକରଣ ସହ ବିଦ୍ୟାଳୟର ସମସ୍ତ ଆସବାବ ପତ୍ର କ୍ରୟ କରାଯିବା ବ୍ୟବସ୍ଥା ରହିଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲଙ୍କୁ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ଆସି ନଥିବା ଦେଖିବାକୁ ମିଳିଛି।