ଅମ୍ବାଭୋନା,ବରଗଡ଼,ଏନ୍ଏନ୍ଏସ୍: ମହାନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାସହ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଚିଖିଲ ଗ୍ରାମ ତିିନିଦିନ ଧରି ବନ୍ୟାଜଳରେ ବୁଡି ରହିଛି। ସେହିପରି ବେନିଆଁପାଲି, ଘୁଘୁରାପାଲି, ଅନ୍ତରାଡି ଗ୍ରାମ ଜଳମଗ୍ନ ହେବାସହ ଶହ ଶହ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।

ବନ୍ୟା ବିପନ୍ନଙ୍କୁ ଗଣ୍ଠିଆପାଲି ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଚିଖିଲ ଗ୍ରାମରେ ବର୍ତ୍ତମାନ ୪ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ପ୍ରାୟ ୩ ଶହ ଲୋକ ବନ୍ୟା ଘେରରେ ଫସିରହିଛନ୍ତି। ସେହିପରି ଘୁଘୁରାପାଲି ଏବଂ ଅନ୍ତରାଡି ଗ୍ରାମର ୩୬୫ ଜଣ ବିପନ୍ନଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀରେ ରଖାଯାଇଛି ।
