ପିସ୍ତଲ୍ ସହ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ

ଜୟପୁର,ଏନ୍‌ଏନ୍‌‌ଏସ୍‌: ଜୟପୁର ସଦର ପୁଲିସ୍ ଏକ ପିସ୍ତଲ୍ ଓ ଜୀବନ୍ତ ଗୁଳି ସହ କାର୍‌, କଣ୍ଟେନର୍ ଓ ୩୧୦ କିଲୋ ଗଞ୍ଜେଇ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ଦୁର୍ଗ ଜିଲାର କାର୍ ମାଲିକ ମହମ୍ମଦ୍ ଆସିଫ୍‌(୨୯), ନାସିର୍ ଅନସାରୀ(୨୮), କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ମାଳିଡମ୍ବଗୁଡ଼ା ଗ୍ରାମର ନବୀନ ହରିଜନ(୨୪), କଣ୍ଟେନର୍ ଡ୍ରାଇଭର୍ ହରିୟାଣା ଫରିଦାବାଦ୍ ଜିଲ୍ଲାର ଦୁର୍ଗା ନନ୍ଦୁ ମିଶ୍ରା(୫୨) ଏବଂ ଜୟପୁର ସଦର ଥାନା କାଲାଗୁଡ଼ା ଗ୍ରାମର କାର୍ତୀକ ଖଣ୍ଡପାଣି(୩୬) ।

ଶନିବାର ପୂର୍ବାହ୍ଣରେ ଏନଏଲ୍‌-୦୧କେ-୬୧୨୨ ନମ୍ବର ଥିବା ଏକ କଣ୍ଟେନର୍ ଓ ଅନ୍ୟ ଏକ ନମ୍ବର ନଥିବା ଧଳା ରଙ୍ଗର କାରରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଜୟପୁର ସଦର ଥାନା ପୁଲିସକୁ ସୂଚନା ମିଳିଥିଲା । ସୂଚନା ମୁତାବକ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ. ମହାକୁଡ, ସବ-ଇନସ୍ପେକ୍ଟର୍ ଏନ ଟୋପ୍ନ ଓ ଏଏସଆଇ ଜିପି ବେହେରା ଓ ଅନ୍ୟମାନେ ଉକ୍ତ ଗାଡି ଦୁଇଟିକୁ ଅପେକ୍ଷା କରିଥିଲେ । ତେବେ ଗାଡ଼ି ୨ଟି ଆସିବା ମାତ୍ରେ ପୁଲିସ୍ ଟିମ୍ ଅଟକାଇ ଯାଞ୍ଚ କରିବା ପରେ କାର୍ ଓ କଣ୍ଟେନରରୁ ୩୧୦ କିଲୋ ଗଞ୍ଜେଇ ମିଳିଥିଲା ।

ପୁଲିସ୍ ଉପରୋକ୍ତ ୫ ଜଣଙ୍କୁ ଗିରଫ କରିବା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ କଣ୍ଟେନର ଓ କାର, ୨ଟି ମୋଟର ସାଇକଲ୍‌, ୩ଟି ଜୀବନ୍ତ ଗୁଳି, ଗୋଟିଏ ପିସ୍ତଲ୍‌, ୧ ଲକ୍ଷ ୫୦ ହଜାର ନଗଦ ଟଙ୍କା ଏବଂ ୫ଟି ମୋବାଇଲ୍ ଫୋନ ଜବତ କରିଛି । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।