କରୋନାର ତୃତୀୟ ଲହର : ଶିଶୁଙ୍କ ପ୍ରତି ଅଧିକ ବିପଦ ଆସିପାରେ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବରରେ କରୋନା ତୃତୀୟ ଲହର ଆସୁଛି। ଏନେଇ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ପୂର୍ବାନୁମାନ କରିଛନ୍ତି। ପ୍ରଥମ ଓ ଦ୍ୱିତୀୟ ଲହରରେ ବୟସ୍କ ଓ ଯୁବବର୍ଗ ବେଶି ସଂକ୍ରମିତ ହେଉଥିବାବେଳେ ତୃତୀୟ ଲହରୀରେ ଅଧିକାଂଶ ଶିଶୁ ସଂକ୍ରମିତ ହେବା ଆଶଙ୍କା ରହିଛି। ତେଣୁ ତୃତୀୟ ଲହରୀରେ ଶିଶୁଙ୍କର ଅଧିକ ଯତ୍ନ ନେବାକୁ ପଡ଼ିବ। ଶିଶୁଙ୍କୁ ଟିକା ଦିଆଯାଇନି, ତେଣୁ ଅଧିକ ସଂକ୍ରମିତ ହେବେ ଶିଶୁ ବୋଲି ଆଶଙ୍କା ରହିଛି। ପିଲାଙ୍କ ଯତ୍ନ ନେବା, ବାହାରକୁ ବେଶି ଛାଡ଼ିବା ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ବଡ଼କଥା ହେଲା ଏବେ ୧୨ରୁ ୧୬ବର୍ଷ ପିଲାଙ୍କୁ ଟିକା ଦେବା ପାଇଁ ଗବେଷଣା ଚାଲିଛି। ଏନେଇ ଆମେରିକାରେ ଏକ ସଂସ୍ଥା ଗବେଷଣା କରୁଛି। ଗବେଷଣାରେ ୧୦ହଜାର ପିଲାଙ୍କୁ ସାମିଲ କରାଯିବ। ଜୁଲାଇ ସୁଦ୍ଧା ପିଲାଙ୍କୁ ଟିକାକରଣ ନେଇ ଫଳାଫଳ ଆସିପାରେ। ଲକଡାଉନ ଯୋଗୁଁ ସଂକ୍ରମଣ ରାଜ୍ୟରେ ନିୟନ୍ତ୍ରଣ ରହିଛି। କରୋନା ସଂକ୍ରମଣ ଶୀର୍ଷକୁ ଯିବା ପାଇଁ ସାମାନ୍ୟ ବିଳମ୍ବ ହେବ। ଦିଲ୍ଲୀରେ କରୋନାର ତୃତୀୟ ଲହରୀ ଚାଲିଛି। ତୃତୀୟ ଲହରୀ ପାଇଁ ଅଧିକ ସଜାଗ ହେବାକୁ ପଡ଼ିବ। ଏଥିପାଇଁ ପୂର୍ବ ପ୍ରସ୍ତୁତି ପାଇଁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି। ସେହିପରି କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଅଧିକ ଛୁଆ ସଂକ୍ରମିତ ହେଉଛନ୍ତି। ଏହା ପଛରେ ଭୂତାଣୁର ନୂଆ ରୂପ ରହିଛି। ଭୂତାଣୁର ମ୍ୟୁଟେସନ୍ ଯୋଗୁଁ ଏବେ ଅଧିକ ଶିଶୁ ସଂକ୍ରମିତ ହେଉଥିବା ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ର କହିଛନ୍ତି। ଛୁଆଙ୍କ ପ୍ରତି ଯତ୍ନ ନେବାକୁ ସେ ପରାମର୍ଶ ଦେଇଛନ୍ତି।