ଝାରସୁଗୁଡ଼ାର ୩ଟି ଘରୋଇ ହସ୍ପିଟାଲ ସିଲ୍

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋଭିଡ କଟକଣା ଉଲଙ୍ଘନ ଅଭିଯୋଗରେ ଝାରସୁଗୁଡ଼ାର ୩ଟି ଘରୋଇ ହସ୍ପିଟାଲ (ନର୍ସିଂହୋମ)କୁ ପ୍ରଶାସନ ପକ୍ଷରୁ ଆଜି ସିଲ କରି ଦିଆଯାଇଛି। ସିଲ ହୋଇଥିବା ହସ୍ପିଟାଲଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା ମଙ୍ଗଳବାର ବଜାର ରୋଡ଼ସ୍ଥିତ ପ୍ରଭାତ ଜୈନ କ୍ଲିନିକ, ଅଗ୍ରୱାଲ ନର୍ସିଂହୋମ ଓ ବେହେରାମାଲ ଲକ୍ଷ୍ୟ କ୍ଲିନିକ ରହିଥିବା ନେଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଗୋଲକ ବିହାରୀ ମଙ୍ଗରାଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ସରକାର ଘରୋଇ ହସ୍ପିଟାଲ ପାଇଁ ଜାରି କରିଥିବା କରୋନା ଗାଇଡଲାଇନ ଏହି ନର୍ସିଂହୋମଗୁଡ଼ିକ ପାଳନ କରୁନଥିବା ଅଭିଯୋଗ ହୋଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇ ସେଠାରେ ସାମଜିକ ଦୂରତା, ମାସ୍କ ବ୍ୟବହାର ଆଦି ନହେବା ସହ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଅନ୍ୟାନ୍ୟ ଗାଇଡଲାଇନ ଉଲଙ୍ଘନ ହେଉଥିବା ଦେଖିବାକୁ ମିଳିଥିଲା। ଫଳରେ ଏହି ୩ଟି ଘରୋଇ ନର୍ସିଂହୋମକୁ ସିଲ କରାଯିବା ସହ ପ୍ରଶାସନ ପକ୍ଷରୁ ନୂତନ ଗାଇଡଲାଇନ ଜାରି ନହେବା ପର୍ଯ୍ୟନ୍ତ ହସ୍ପିଟାଲ ଖୋଲିବାରେ କଟକଣା ଲଗାଯାଇଥିବା ଶ୍ରୀ ମଙ୍ଗରାଜ ପ୍ରକାଶ କରିଛନ୍ତି।