ଜିଲ୍ଲା କୋର୍ଟ ପରିସରରୁ ୩ ବିଚାରଧୀନ କଏଦୀଙ୍କ ଫେରାର ଉଦ୍ୟମ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଉପକାରାଗାରରେ ବିଚରାଧୀନ କଏଦୀ ଭାବେ ସଜା କାଟୁଥିବା ୩ ଜଣ ଜିଲ୍ଲା କୋର୍ଟ ପରିସରରୁ ଚମ୍ପଟ ମାରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତମାନେ ହେଲେ ଗୁଲିପାଟନାର ନିଳାମ୍ବର ହରୀଜନ, କୋଷାଗୁମୁଡ଼ାର ମହେନ୍ଦ୍ର ଫୁଲ ଓ ରାଇଘରର ଗଜେନ୍ଦ୍ର ହରୀଜନ । ଏହି ୩ ବିଚାରଧୀନ କଏଦୀ ପାପଡ଼ାହାଣ୍ଡି ଥାନାର ଏକ ଡକାୟତି ମାମଲାରେ ସମ୍ପୃକ୍ତ ହୋଇ ନବରଙ୍ଗପୁର ସବଜେଲରେ ଗତ ଜୁଲାଇ ମାସରୁ ରହି ଆସୁଥିଲେ । ମିଳିଥିବା ରିପୋର୍ଟ ମୁତାବକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟ(ସିଜେଏମ)ରେ ଦସ୍ତଖତର ତାରିଖ ଥିବାରୁ ସମ୍ପୃକ୍ତ ୩ ଅଭିଯୁକ୍ତ ସମେତ ୧୫ ଜଣକୁ କୋର୍ଟକୁ ନିଆଯାଇଥିଲା । ସିଜେଏମ କୋର୍ଟରେ ଦସ୍ତଖତ ପରେ ସେମାନେ ପୁଣିଥରେ ସମସ୍ତ ବିଚରାଧୀନ କଏଦୀଙ୍କ ସହ କୋର୍ଟ ଭ୍ୟାନକୁ ଆସିବା ସମୟରେ କୋର୍ଟ ପରିସରରୁ ଚମ୍ପଟ ମାରିବା ପାଇଁ ଉଦ୍ୟମ କରିଥିଲେ । ତେବେ ଏହି ୩ ଜଣଙ୍କୁ ସ୍ଥାନୀୟ ପୁଲିସ କାବୁ କରି ଧରିବାରେ ସଫଳ ହୋଇଥିଲା । ସେମାନଙ୍କୁ ପୁଣିଥରେ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏନେଇ ପୁଲିସ କର୍ମଚାରୀ ନବରଙ୍ଗପୁର ଥାନାରେ ଏତଲା ଦେବା ପରେ ନବରଙ୍ଗପୁର ପୁଲିସ ଏକ ମାମଲା ରେଜିଷ୍ଟ୍ରସନ କରି ରିମାଣ୍ଡ ରିପୋର୍ଟ ଦେବେ ବୋଲି ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତରା କହିଛନ୍ତି