ଉତ୍ତରପ୍ରଦେଶ: ଗ୍ରେଟର ନୋଏଡାରେ ବିଷାକ୍ତ ମଦ ପିଇ ୩ ମୃତ

ନୋଏଡା,ଏଜେନ୍ସି: ଉତ୍ତର ପ୍ରଦେଶର ଆଲିଗଡ଼ରେ ବିଷାକ୍ତ ମଦ ମୃତ୍ୟୁ ମାମଲା ଥଣ୍ଡା ପଡ଼ିନାହିଁ। ସେଠାରେ ୧୨ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଗ୍ରେଟର ନୋଏଡାରେ ସମାନ ପ୍ରକାରର ଘଟଣା ସାମ୍ନାକୁ ଆସିଛି। ବିଷାକ୍ତ ମଦ ପିଇ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

ବିଷାକ୍ତ ମଦ ପିଇବା ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା। ସେମାନଙ୍କୁ ଜେବରସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ତିନି ଜଣ ସୋମବାର ସକାଳୁ ନିଜ ନିଜ କାମରେ ବାହାରିଥିଲେ। ଘରକୁ ଫେରିବା ପୂର୍ବରୁ ଅଜାଣତରେ ବିଷାକ୍ତ ମଦ ପିଇ ଦେଇଥିଲେ। ସନ୍ଧ୍ୟାରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା। ଫଳରେ ପରିବାର ଲୋକେ ତିନି ଜଣଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ।