ଭୁବନେଶ୍ୱର,ଏନ୍ଏନ୍ଏସ୍: ପୌର ନିର୍ବାଚନକୁ ନେଇ ଭୁବନେଶ୍ୱରରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ମେୟର ପ୍ରାର୍ଥୀକୁ ନେଇ ୩ ପ୍ରମୁଖ ଦଳ ଭିତରେ ଅଙ୍କକସା ଚାଲିଥିବାବେଳେ ପ୍ରଦେଶ କଂଗ୍ରେସ ଆଗୁଆ ମଇଦାନକୁ ଓହ୍ଲାଇଛି। ବିଏମ୍ସି ନିର୍ବାଚନ ପାଇଁ କଂଗ୍ରେସ ମେୟର ପ୍ରାର୍ଥୀ ଶୁକ୍ରବାର ଘୋଷଣା କରିବ ବୋଲି ସୂଚନା ମିଳିଛି। ଏଥର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେଣୁ କଂଗ୍ରେସର ମେୟର ପ୍ରାର୍ଥୀ ତାଲିକାରେ ୩ ଆଶାୟୀ ରହିଛନ୍ତି।
ତାଲିକାରେ ଏକାମ୍ର ବିଧାୟକ ପ୍ରାର୍ଥୀ ରଶ୍ମୀ ମହାପାତ୍ର, ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ସୁଭଦ୍ରା ମିଶ୍ର ଓ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳି ପଣ୍ଡାଙ୍କ ବୋହୂ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାଁ ସୁପାରିଶ କରାଯାଇଛି। ଏହି ୩ଜଣଙ୍କ ମଧ୍ୟରୁ ମଧୁସ୍ମିତାଙ୍କ ନାଁରେ ଦଳ ମୋହର ମାରିବା ନେଇ ଚର୍ଚ୍ଚା ଜୋର୍ ଧରିଛି।
ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତ, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍, ଓଡିଶୀ ନୃତ୍ୟ ଶିଳ୍ପୀ ମଧ୍ୟ। ସେ କଲେଜରେ ଛାତ୍ରୀ ରାଜନୀତିରେ ଜଡ଼ିତ ଥିଲେ। କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ସେ ପ୍ରତ୍ୟକ୍ଷ ଭାବରେ ନିର୍ବାଚନ ପରିଚାଳନା କରୁଥିଲେ। ସେ ଦୃଷ୍ଟିକୋଣରୁ କଂଗ୍ରେସ ମଧୁସ୍ମିତାଙ୍କ ଉପରେ ଭରସା କରିଛି। ସେଥିପାଇଁ ତାଙ୍କୁ ମେୟର ଭାବେ ଚୟନ କରିବ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷେ ରଶ୍ମି ମହାପାତ୍ର ଏକାମ୍ର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ସେ ସାଧାରଣ ନିର୍ବାଚନରେ ସେତେମାତ୍ରାରେ ଭଲ ପ୍ରଦର୍ଶନ କରିନଥିଲେ। ତେଣୁ ଦଳ ତାଙ୍କ ଉପରେ ଭରସା କରିପାରୁନାହିଁ।
ସେହିପରି ସୁଭଦ୍ରା ମିଶ୍ର ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ବି ଦଳ ପାଇଁ ତାଙ୍କର କୌଣସି ଆଖିଦୃଶିଆ କାର୍ଯ୍ୟ ଅତୀତରେ ଦେଖାଯାଇନାହିଁ। ତେଣୁ ତାଙ୍କୁ କଂଗ୍ରେସର ଚୟନ କମିଟି ବିଶ୍ୱାସ କରିନାହିଁ। ଏହିସବୁ ପରେ କଂଗ୍ରେସ ଜଣେ ଯୁବ ଓ ନୂଆମୁହଁଙ୍କୁ ମେୟର ପ୍ରାର୍ଥୀ କରିବାକୁ ପୂର୍ବରୁ ନିଷ୍ପତି ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।