ଦେବଗଡ଼ ପୌର ପରିଷଦ ମହାଦୁର୍ନୀତି ରାକେଟରେ ସମ୍ପୃକ୍ତ ୩ ଅଭିଯୁକ୍ତ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବହୁଚର୍ଚ୍ଚିତ ଦେବଗଡ଼ ପୌର ପରିଷଦ ମହା ଦୁର୍ନୀତିରେ ସମ୍ପୃକ୍ତ ରାକେଟର ୩ ଅଭିଯୁକ୍ତଙ୍କୁ ଆଜି ଦେବଗଡ଼ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଭୁବନ ନାୟକ, ଓମ ପ୍ରକାଶ ସାହୁ ଓ ଅମୃତ୍ତି ସାହୁ । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଆକାଉଣ୍ଟାଣ୍ଟ ବିନୋଦ ନାଗ ବର୍ତ୍ତମାନ ସୁଦ୍ଧା ଫେରାର ରହିଛି । କିନ୍ତୁ ବିନୋଦର ଏକ କମ୍ପ୍ୟୁଟର ସେଣ୍ଟରକୁ ପୁଲିସ ସିଲ କରିବା ସହ ବିଭିନ୍ନ ଦସ୍ତାବିଜ ଜବତ କରିଛି । ପୌର ପରିଷଦର ଅବସରପ୍ରାପ୍ତ କର୍ମଚାରୀ ଜଗ ମୁଣ୍ଡାଙ୍କ ବକେୟା ୧୪ ଲକ୍ଷ ଟଙ୍କା ଜାଲ ଆକାଉଣ୍ଟ ଜରିଆରେ ଟ୍ରେଜେରୀରୁ ହଡ଼ପ କରିଥିବା ନେଇ ନିର୍ବାହୀ ଅଧିକାରୀ ଆତସୀ ପରିଡ଼ା ଗତ ଜୁନ ୧୦ ତାରିଖରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଠକେଇ ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଏଥିସହିତ ମୋଟ ୭୦ ଲକ୍ଷ ଟଙ୍କାର ହିସାବ ନଥିବା ନେଇ ଅଭିଯୋଗ ପରେ ବିଭାଗୀୟ ଅଡିଟ ଜାରି ରହିଛି ।