ଫାଇନାନ୍ସ କମ୍ପାନୀ ଲକରରୁ ୬.୩ ଲକ୍ଷ ଟଙ୍କା ଚୋରି ଘଟଣା, ୩ ଅଭିଯୁକ୍ତ ଗିରଫ

କଟକ,ଏନ୍ଏନ୍ଏସ୍: ଚୌଦ୍ୱାରରେ ଥିବା ଏକ ଭାରତ ଫାଇନାନ୍ସ କମ୍ପାନୀର ଲକରରୁ ୬ ଲକ୍ଷ ୩୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ୟୁନିଟ ମ୍ୟାନେଜର ଅଶୋକ କୁମାର ସାହୁ ଗତ ୭ ତାରିଖ ଦିନ ଚୌଦ୍ୱାର ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଲକରରୁ ଟଙ୍କା ଚୋରି ହୋଇଥିବା ନେଇ ଚୌଦ୍ୱାରର ବ୍ରାଞ୍ଚ ମ୍ୟାନେଜରଙ୍କ ଠାରୁ ସେ ଫୋନ ଯୋଗେ ସୂଚନା ପାଇଥିଲେ। ପରେ ସେ ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ।

ଚୋରି ପୂର୍ବ ରାତ୍ରିରେ ଅଫିସରେ ୪ ଜଣ କର୍ମଚାରୀ ରହିଥିଲେ। ସେମାନଙ୍କ ମଧ୍ୟରୁ ସୂର୍ଯ୍ୟକାନ୍ତ ସାମଲ ସହିତ ରାକେଶ ରାଉତ ଚୋରି କରିଥିବା ସନ୍ଦେହ କରି ଅଶୋକ କୁମାର ସାହୁ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପରେ ଚୌଦ୍ୱାର ଥାନା ଆଇଆଇସି ତଦନ୍ତ ଆରମ୍ଭ କରିଦେଇଥିଲେ।

ତଦନ୍ତ ଅନୁସାରେ ବ୍ରାଞ୍ଚ ଲକରରୁ ଟଙ୍କା ଚୋରି କରିବା ନେଇ ସୂର୍ଯ୍ୟକାନ୍ତ ସାମଲଙ୍କୁ ରାକେଶ କୁମାର ରାଉତ ଉସୁକାଇଥିଲେ। ଚୋରିରେ ସେ ତାଙ୍କ ସହିତ ଅଭୟ ମହାରଣା ଓରଫ କାଳିଆକୁ ସାମିଲ କରିଥିଲେ। ୬ ତାରିଖ ମଧ୍ୟ ରାତ୍ରିରେ ବିଜୟ କୁମାର ସାହୁଙ୍କ ଠାରୁ ଲକର ଚାବି ସୂର୍ଯ୍ୟକାନ୍ତ ସାମଲ ଚୋରି କରି ଲକର ଖୋଲି ୬.୩ ଲକ୍ଷ ଟଙ୍କା ଚୋରି କରିଥିଲେ। ପରେ ସେହି ଟଙ୍କାକୁ ସେମାନଙ୍କ ମଧ୍ୟରେ ବାଣ୍ଟିଥିଲେ। ସେଥିରୁ ରାକେଶ କୁମାର ରାଉତ ଓ ସୂର୍ଯ୍ୟକାନ୍ତ ସାମଲ ୨.୫ ଲକ୍ଷ ଟଙ୍କା ଲେଖାଏଁ ନେଇଥିବା ବେଳେ କାଳିଆ ୧.୩ ଲକ୍ଷ ଟଙ୍କା ନେଇଥିଲା। ପୁଲିସ ନିକଟରେ ସୂର୍ଯ୍ୟକାନ୍ତ, ରାକେଶ ଓ କାଳିଆ ଦେଶ ସ୍ୱୀକାର କରିବା ସହିତ ଚୋରି କରିଥିବା ୬.୩ ଲକ୍ଷ ଟଙ୍କା ଫେରାଇଛନ୍ତି।

ଚୋରି କରିଥିବା ଅଭିଯୁକ୍ତମାନେ ହେଉଛନ୍ତି ଢ଼େଙ୍କାନାଳରୁ ସୂର୍ଯ୍ୟକାନ୍ତ ସାମଲ, ଆଠଗଡ଼ର ରାକେଶ କୁମାର ରାଉତ ଓ ଢ଼େଙ୍କାନାଳର ଅଭୟ ମହାରଣା ଓରଫ କାଳିଆ। ଚୌଦାର ଥାନା ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।