ଚନ୍ଦ୍ରପୃଷ୍ଠର ଆଉ ଏକ ଫଟୋ ପଠାଇଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ,୨୬ା୮/ଏଜେନ୍ସି : ଚନ୍ଦ୍ରପୃଷ୍ଠର ଆଉ ଏକ ଫଟୋ ପଠାଇଛି ଚନ୍ଦ୍ରଯାନ-୨ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୋମବାର ଟୁଇଟର ଯୋଗେ ଏହି ଫଟୋ ଜାରି କରାଯାଇଛି । ଗତ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୪୩୭୫ କି.ମି. ଉଚ୍ଚରୁ ଚନ୍ଦ୍ରଯାନ-୨ରେ ଲାଗିଥିବା ଶକ୍ତିଶାଳୀ କ୍ୟାମେରା(ଟିଏମ୍ସି-୨)ରେ ଏହି ଫଟୋ ଉଠିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ଫଟୋରେ ଚନ୍ଦ୍ରରେ ଥିବା କ୍ରାଟର୍ସ ଚିହ୍ନଟ ହୋଇଛି । ଏଥିରୁ ଗୋଟିଏ କ୍ରାଟରର ନାମ ମିତ୍ର ରଖାଯାଇଛି । ଭାରତୀୟ ବୈଜ୍ଞାନିକ ଶିଶିର କୁମାର ମିତ୍ରଙ୍କ ନାମରେ ଏହାର ନାମକରଣ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏଥିପୂର୍ବରୁ ଗତ ୨୧ ତାରିଖରେ ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରଯାନ-୨’ ଚନ୍ଦ୍ରର ପ୍ରଥମ ଫଟୋଚିତ୍ର ପଠାଇଥିଲା । ଚନ୍ଦ୍ରପୃଷ୍ଠରୁ ପ୍ରାୟ ୨୬୫୦ କି.ମି. ଉଚ୍ଚରୁ ଏହି ଫଟୋ ଉଠିଥିଲା । ଫଟୋରେ ଚନ୍ଦ୍ରପୃଷ୍ଠ ଓ ସେଥିରେ ଥିବା ଗର୍ତ୍ତଗୁଡ଼ିକ ସ୍ପଷ୍ଟ ଦେଖାଯାଇଥିଲା । ଆଉ ୧୧ ଦିନ ପରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ଅର୍ବିଟରରୁ ଅଲଗା ହେବ ଏବଂ ସେପ୍ଟେମ୍ବର ୭ ରାତି ୧.୫୫ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।