ସଇଁନ୍ତଳା,ଏନ୍ଏନ୍ଏସ୍: ଟିଟିଲାଗଡ ପୁଲିସ ଷ୍ଟେସନରେ ୨୬ ଜଣ ଶିଶୁ ସହ ୭୩ ଜଣ ଶ୍ରମିକଙ୍କୁ ଏକ ବସ୍ ଯୋଗେ ଆଣି ପୁଲିସର ଜିମାରେ ଛାଡି ଗଲେ ତେଲେଙ୍ଗାନାର ଜଗତିଆଲ ଜିଲ୍ଲା ତଳିପଲ୍ଲି ଗ୍ରାମର ମହମ୍ମଦ ସକିଲ। ଶ୍ରମିକଙ୍କ କରୁଣ ନିବେଦନର ଭାଇରାଲ ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଶ୍ରମ ଅଧିକାରୀ ଓ ଚାଇଲ୍ଡ ଲାଇନର ମିଳିତ ଉଦ୍ୟମ ପରେ ଏହି ଶ୍ରମିକ ମାନେ ଘରକୁ ଫେରିପାରିଛନ୍ତି।
ସୂଚନା ଅନୁସାରେ କିଛି ଶ୍ରମିକଙ୍କୁ ଦଲାଲ ଟଙ୍କା ଲୋଭ ଦେଖାଇ ତେଲେଙ୍ଗାନା ରାଜ୍ୟର ଇଟାଭାଟିରେ କାମ କରିବା ପାଇଁ ନେଇଥିଲେ। ସେଠାରେ ଦଲାଲ ଜଣଙ୍କ ୩୦ ଲକ୍ଷ ଟଙ୍କା ନେଇ ଫେରାର ମାରିଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହା ପରେ ପ୍ରଶାସନ ଓ ଚାଇଲ୍ଡ ଲାଇନର ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ। ପରେ ଇଟାଭାଟିର ମାଲିକ ନିଜେ ଏକ ବସ୍ ଭଡା କରି ଦାଦନ ଶ୍ରମିକ ମାନଙ୍କୁ ତେଲେଙ୍ଗାନାରୁ ଆଣି ଟିଟିଲାଗଡ ପୁଲିସ ଷ୍ଟେସନରେ ଚାଇଲ୍ଡଲାଇନର ଟିଟିଲାଗଡ ସଦସ୍ୟ ଶିବାନନ୍ଦ ବେହେରାଙ୍କ ଉପସ୍ଥିତିରେ ପୁଲିସ ଜିମା ଦେଇଥିଲେ। ଶ୍ରମ ଅଧିକାରୀ କହିଛନ୍ତି ଯେ, ଦାଦନ ଶ୍ରମିକମାନଙ୍କୁ ଯଥା ସମ୍ଭବ ଉପଯୁକ୍ତ ଥଇଥାନ କରାଯିବା ପାଇଁ ସରକାରଙ୍କ ନିକଟରେ ଆବେଦନ କରାଯିବ।