ଆସନ୍ତା ୨୫ରୁ ଜିଲ୍ଲାରେ ସଂଗ୍ରହ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାର ଆସନ୍ତା ୨୫ ତାରିଖରୁ ଧାନ ସଂଗ୍ରହ ହେବ। ଜିଲ୍ଲାରେ ୩୨ଟି ସମବାୟ ସମତି ମାଧ୍ୟମରେ ୪୧ଟି ଧାନକ୍ରୟ କେନ୍ଦ୍ରରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ। ଏନେଇ ଆଜି ଜିଲ୍ଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ବୈଠକରେ ନିଷ୍ପତି ନିଆଯାଇଛି। ଚଳିତବର୍ଷ ୫ଲକ୍ଷ ୫୮ ହଜାର ୮୨୩ କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷରଖାଯାଇଛି।

ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ , ଝାରସୁଗୁଡ଼ା ଜିଲ୍ଲପାଳ ସୋରୋଜ ସାମଲ, ଝାରସୁଗୁଡ଼ା ଏସପି ରାହୁଲ ପି ଆର, ଉପଜିଲ୍ଲପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ଆରଏଣସି ସମ୍ପାଦକ, ସମବାୟ ସମିତି ସମ୍ପାଦକ, ଚାଷୀ ପ୍ରଧତିନିଧି, ମିଲର, ଜିଲ୍ଲା ପରିଷଦ ସଭାପତି, ବରଗଡ଼ ସାଂସଦ ପ୍ରତିନିଧି, ବ୍ରଜରାଜନଗର ବିଧାୟକ ପ୍ରତିନିଧି ଉପସ୍ଥିତ ଥିଲେ। ତେବେ ବୈଠକରେ ବୁଡି ଜମିରେ ହୋଇଥିବା ଧାନକୁ ଚାଷୀମନେ କେମିତି ବିକ୍ରି କରିପାରିବେ ତାର ବ୍ୟବସ୍ଥା କରିବା ସହ ଏକର ପ୍ରତି ୧୫ କ୍ୱିଣ୍ଟାଲ ଧାନ କ୍ରୟ କରିବା ପାଇଁ ଚାଷୀମାନେ ଦାବି କରିଥିଲେ। ଏନେଇ ସ୍ୱାସ୍ଥ୍ୟକଲ୍ୟାଣ ମନ୍ତ୍ରୀ , ବ୍ରଜରାଜନଗର ବିଧାୟକ ଏବଂ ବରଗଡ଼ ସାଂସଦ ମିଳିତ ଭାବରେ ସରକାରଙ୍କୁ ଅବଗତ କରି ଚାଷୀଙ୍କ ଦାବି ପୁରଣ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଛନ୍ତି।