ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେବଗଡ଼ ଜିଲ୍ଲାରେ ଆଜି ୨୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଦ ଭାବେ ସୂଚନା ଜାରି କରାଯାଇଛି। ଏହା ପୂର୍ବରୁ ଜିଲ୍ଲାରେ ୨ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଥିଲେ। ତେବେ ଆଜି ଗୋଟିଏ ଦିନରେ ୨୨ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଦେବଗଡ ଜିଲ୍ଲାରେ ଏହା ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି।
ସମସ୍ତ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତି ସରକାରୀ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୨ଜଣ ମହିଳା ଅଛନ୍ତି। ସେହିପରି ୨ଜଣ ମହିଳାଙ୍କ ମଧ୍ୟରୁ ଜଣେ ଆଶା କର୍ମୀ ଥିବାବେଳେ ଅନ୍ୟ ଜଣେ ମହିଳା ପ୍ରବାସୀ ଶ୍ରମିକ ବୋଲି ଜଣାପଡିଛି। ସମସ୍ତ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ମଧ୍ୟରୁ ରିଆମାଳ ବ୍ଲକ ଉଟୁଣିଆ ପଞ୍ଚାୟତ ବାଘବର ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮ଜଣ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୪ଜଣ ତିଲେଇବଣୀ ବ୍ଲକ୍ ସଢୋ ପଞ୍ଚାୟତ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ମିଳିବା ପରେ ସମସ୍ତ ୨୨ଜଣଙ୍କୁ ଦେବଗଡ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।