କୁଲଗାମ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାସ୍ଥିତ ଚିନଗାମ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସୁରକ୍ଷାବଳକୁ ସୂଚନା ମିଳିଥିଲା। ସେଥିପାଇଁ ସୁରକ୍ଷାବଳ ଏହି ଅଞ୍ଚଳକୁ ଘେରି ସର୍ଚ୍ଚିଂ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏବେ ବି ଉକ୍ତ ଅଞ୍ଚଳରେ ଅନ୍ୟ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି।

ସର୍ଚ୍ଚିଂ ଅପରେସନ ସମୟରେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାବଳ ଉପରେ ଗୁଳିଚାଳନା କରିଥିଲେ। ପରେ ଉଭୟ ପକ୍ଷରେ ଗୁଳିଚାଳନା ହୋଇଥିଲା ଏବଂ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ମୃତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ସେମାନେ କେଉଁ ସଂସ୍ଥା ସହ ଜଡ଼ିତ ଥିଲେ ତାହା ଖୋଜା ଚାଲିଛି।

ଭାରତୀୟ ସୁରକ୍ଷାବଳ ପ୍ରଥମେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ ହେଁ ସେମାନେ ଗୁଳିଚାଳନା ଆରମ୍ଭ କରିଥିଲେ। ପରେ ଏହାର ଜବାବ ଦେବାକୁ ଯାଇ ସେନା ପକ୍ଷରୁ ମଧ୍ୟ ଗୁଳିଚାଳନା କରାଯାଇଥିଲା। ଫାୟରିଂର ଶଦ୍ଦରୁ ୩ଜଣ ଆତଙ୍କବାଦୀ ଥିବା ଅନୁମାନ କରାଯାଉଥିବାବେଳେ ୨ ଜଣଙ୍କ ନିହତ ହୋଇଛନ୍ତି ଓ ଅନ୍ୟଜଣଙ୍କୁ ଖୋଜା ଚାଲଥିବା ଜଣାପଡ଼ିଛି।