ଭାଲୁ ଆକ୍ରମଣରେ ୨ ଗୁରୁତର

ଦେବଗଡ଼,ଏନ୍ଏନ୍ଏସନ୍: ଆଜି ଗୋଟିଏ ଦିନରେ ପୃଥକ ସ୍ଥାନରେ ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ବାରକୋଟ ଥାନା ଅନ୍ତର୍ଗତ ସିଂହସାଳ ଗ୍ରାମରେ ଛେଳି ଚରାଇବାକୁ ନେଇଥିବା ଜଣେ ଛେଳି ଚରାଳି ଭାଲୁ ଆକ୍ରମଣ କରିଥିଲା। ସେଠାରୁ ତାକୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁଯାୟୀ ଆଜି ସକାଳେ ସିଂଶାଳ ଗ୍ରାମର କରୁଣା ଧୀବର(୩୫) ଗାଁ ଜଙ୍ଗଲକୁ ଛେଳି ଚରାଇବାକୁ ନେଇ ଥିବାବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ କରୁଣାଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। କରୁଣାଙ୍କ ଚିତ୍କାର ଶୁଣି ପାଖରେ ଥିବା ଅନ୍ୟ କେତେକ ବ୍ୟକ୍ତି ସେଠାରେ ପହଞ୍ଚି ଭାଲୁ କବଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ବାରକୋଟ ଓ ପରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସେହିପରି ଚୁଆଖୋଳ ଗ୍ରାମର ଚିନ୍ତାମଣି ବେହେରା(୫୫) ନିକଟସ୍ଥ ଆମ୍ବଖୋଳ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ୩ଟି ଭାଲୁ ହାବୁଡ଼ରେ ପଡିଯାଇଥିଲେ। ଭାଲୁ ଆକ୍ରମଣରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଗୁରୁତର ଚିନ୍ତାମଣିଙ୍କ ଚିତ୍କାର ଶୁଣି ପାଖରେ ଥିବା ଅନ୍ୟ କେନ୍ଦୁପତ୍ର ତୋଳାଳୀମାନେ ଚିନ୍ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନେ ଏବେ ମଧ୍ୟ ଚିକତ୍ସାଧୀନ ଥିବା ଜଣାପଡିଛି।