ଆଳି,ଏନ୍ଏନ୍ଏସ୍: ବଲିଉଡ ଡ୍ରଗ୍ସ ଲିଙ୍କ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଳିରୁ ବ୍ରାଉନସୁଗାର ଜବତ ହେବା ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି । ଆଳି ପୁଲିସ ବୁଧବାର ରାତିରେ ପତ୍ରପୁର ସେତୁ ନିକଟରେ ଜଣେ ଯୁବକଙ୍କ ନିକଟରୁ ପ୍ରାୟ ୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି । ମିଳିଥିବା ରିପୋର୍ଟ ମୁତାବକ, ବୁଧବାର ସନ୍ଧ୍ୟାରେ ଆଳି ଥାନା ସବଇନ୍ସପେକ୍ଟର ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ୍ ପତ୍ରପୁର ସେତୁ ନିକଟରେ ପେଟ୍ରୋଲିଂ କରୁଥିବାବେଳେ ପଟ୍ଟାମୁଣ୍ଡାଇ ଦକ୍ଷିଣଡ଼ିହା ଗ୍ରାମର ରମାକାନ୍ତ ଦାସ ଆଳି ଆଡ଼କୁ ଏକ ସ୍କୁଟି ନେଇ ଆସୁଥିଲେ। ପୁଲିସକୁ ଦେଖି ରମାକାନ୍ତ ଗାଡ଼ି ବୁଲାଇ ପଳାଇଯିବାକୁ ଉଦ୍ୟମ କରିବାବେଳେ ପୁଲିସ ତାୁକୁ ଧରିଥିଲା। ପୁଲିସ ସମ୍ପୃକ୍ତ ଯୁବକକୁ ଚେକିଂ କରିବା ପରେ ତା’ ପକେଟରୁ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ମିଳିଥିଲା। ପରେ ପୁଲିସ ଯୁବକଙ୍କୁ ଗିରଫ କରିବା ସହିତ ସ୍କୁଟି ଜବତ କରିଛି ।