୨ ହାର୍ଡକୋର ମାଓବାଦୀ ଗିରଫ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ମେନପୁର ନୂଆପଡ଼ା ଡିଭିଜନର ୨ ହାର୍ଡକୋର ମାଓବାଦୀ ଗିରଫ । ହାତିଗାଁ ରିଜର୍ଭ ଜଙ୍ଗଲରେ ବୁଲୁଥିବା ସମୟରେ ଧରା ପଡ଼ିଥିବା ଜଣାପଡ଼ିଛି । ଗିରଫ ମାଓବାଦୀ ଦ୍ୱୟ ହେଲେ ଅନିତା ଓରଫ ପୂଜା ମାଣ୍ଡଭି(୨୫) ଓ ସମୁଦ୍ର ବାଘ(୩୨) । ଏନେଇ ଡିଆଇଜି ରାଜେଶ ପଣ୍ଡିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ, ଅନିତାର ଦେହ ଅସୁସ୍ଥ ଥିବାରୁ ସମୁଦ୍ର ବାଘ ଔଷଧ ପତ୍ର ଯୋଗାଉ ଥିଲା । ସମୁଦ୍ର ମାଓ ଦଳରେ କ୍ୱାକ୍‌ ଡାକ୍ତର ଭାବେ ଦାୟିତ୍ୱ ନିର୍ବାହ କରୁଥିଲା । ଉଭୟ ନୂଆପଡ଼ା ଅଞ୍ଚଳରେ ହୋଇଥିବା ବିଭିନ୍ନ ଫାୟରିଂ ମାମଲାରେ ଜଡ଼ିତ ରହିବା ସହ ରାଇଘର ସମେତ ବିଭିନ୍ନ ସ୍ଥାନରେ ମାଓ ବ୍ୟାନର ଓ ପୋଷ୍ଟର ମଧ୍ୟ ଲଗାଉଥିଲେ । ଅନିତା ୨୦୧୦ରୁ ୨୦୧୩ ବୋଡ଼ଚାଟିଆରେ କାମ କରିବା ପରେ ମେନପୁର ଡିଭିଜନକୁ ବଦଳି ହୋଇ କାମ କରୁଥିଲା । ଅନ୍ୟପଟେ ସୁମୁଦ୍ର ୨୦୧୭ରୁ ମାଓ ସଂଗଠନରେ ସକ୍ରିୟ ଥିଲା । ରାଇଘରର ହାତିଗାଁ ରିଜର୍ଭ ଜଙ୍ଗଲରେ ସିଭିଲ ପୋଷାକରେ ସିଆରଏଫ, ଡିଭିଏଫ୍ ଓ ଏସଓଜିର ମିଳିତ କୁମ୍ବିଂ ଅପରେଶନ ଚାଲିଥିବାବେଳେ ପୂଜା ଓ ସମୁଦ୍ର ସନ୍ଦେହ ଘେରକୁ ଆସିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଏସପି ଏସ.ସୁଶ୍ରୀ, ସିଆରପିଏଫ ୧୨ ବାଟାଲିଆନ କମାଣ୍ଡାଣ୍ଟ ନନ୍ଦ କିଶୋର କୁମାର ପ୍ରସାଦ, ରାଇଘର ଥାନାଧିକାରୀ ପ୍ରମୋଦ କୁମାର ନାୟକ ଓ ନବରଙ୍ଗପୁର ଥାନାଧିକାରୀ ନରେଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।