କୃଷକ ଆନ୍ଦୋଳନରୁ ହଟିଲେ ୨ଟି କୃଷକ ସଂଗଠନ

ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ପରେ କୃଷକଙ୍କ ଆନ୍ଦୋଳନ ଦୁର୍ବଳ ହୋଇଯାଇଛି। ଗୋଟିଏ ପଟେ ସମଗ୍ର ଦେଶରେ କୃଷକଙ୍କ ବିରୋଧରେ ଦ୍ୱେଶ ଦେଖିବାକୁ ମିଳିଥିବାବେଳେ ଅନ୍ୟପଟେ କୃଷକ ସଂଗଠନ ମଧ୍ୟରେ ବି ଫାଟ ସୃଷ୍ଟି ହୋଇଛି। ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୀଏମ ସିଂହ ନିଜକୁ ଏହି ଆନ୍ଦୋଳନରୁ ଅଲଗା କରିନେଇଛନ୍ତି। ଏତଦବ୍ୟତୀତ ଭାନୁ ଗୁଟ ମଧ୍ୟ କୃଷକ ଆନ୍ଦୋଳନ ସମାପ୍ତ କରିବାକୁ ଘୋଷଣା କରିଛନ୍ତି।

ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୀଏମ ସିଂହ କହିଛନ୍ତି ଯେ, ହିନ୍ଦୁସ୍ତାନର ପତାକା, ଗରିମା ଓ ମର୍ଯ୍ୟାଦା ସମସ୍ତଙ୍କର। ଏହି ମର୍ଯ୍ୟାଦାକୁ ଯଦି ଭଙ୍ଗ କରାଯାଇଛି ଏଥିରେ ସାମିଲ ଥିବା ଲୋକଙ୍କର ଭୁଲ ରହିଛି। ଏଥିସହିତ ଏପରି କରିବାକୁ ଦେଇଥିବା ଲୋକର ମଧ୍ୟ ଭୁଲ୍ ଅଛି। ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ଏସବୁ କାଣ୍ଡରେ କେନ୍ଦ୍ର ସରକାରଙ୍କର ମଧ୍ୟ ହାତ ରହିଛି। ଯେତେବେଳେ ଜଣେ ୧୧ଟା ବଦଳରେ ୮ଟାରେ ବାହାରିଲା ସେତେବେଳେ ସରକାର କ’ଣ କରୁଥିଲା? ଯେତେବେଳେ ଲାଲକିଲ୍ଲାରେ ପତାକା ଉଡ଼ାଇବା ପାଇଁ କିଛି ସଂଗଠନ କୋଟିଏ ଟଙ୍କା ଦେବା କଥା କହୁଥିଲେ ସେତେବେଳେ ସରକାର କୁଆଡ଼େ ଥିଲେ?