୨ ନକଲି ପୋଲିସ ଗିରଫ

ଋାୟଗଡା,ଏନ୍ଏନ୍ଏସ୍: ନିଜକୁ ଜଣେ ପୋଲିସ କର୍ମଚାରୀ କହି ଧମକ ଚମକ ଦେଇ ୧ ଲକ୍ଷ ଟଙ୍କା ଦାବୀ କରି ଅସଲି ପୋଲିସ ହାତରେ ଧରାପଡିଛନ୍ତି ଗୌରୀ ହିଆଲ(୨୮) ଏବଂ ଜଣେ ନାବାଳକ। ଘଟଣାକ୍ରମେ ବୃନ୍ଦାବନ ପାଢୀ ନାମକ ଜଣେ ବ୍ୟକ୍ତି ନିଜର ସଂପର୍କିୟ ମହିଳାଙ୍କ ସହ ୧୫ ତାରିଖ ଦିନ କଲ୍ୟାଣସିଂହପୁର ଅଭିମୁଖେ ବାହାରିଥିଲେ। ଦିନ ୧ ଘଣ୍ଟା ସମୟରେ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଅଟକିଥିଲେ। ଠିକ୍ ସେତିକି ବେଳେ ୨ ଜଣ ଅଜ୍ଞାତ ବ୍ୟକ୍ତି ଆସି ନିଜକୁ ପୋଲିସର ପରିଚୟ ଦେଇ ବୃନ୍ଦାବନ ପାଢୀ ଏବଂ ତାଙ୍କ ସହିତ ମହିଳାଙ୍କର ଫଟୋ ଏବଂ ଭିଡିଓ ସୁଟ୍ କରିବା ସହ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରପିଟ ମଧ୍ୟ କରିଥିଲେ।

ଏଥିସହ ଅଭିଯୁକ୍ତମାନେ ଶ୍ରୀପାଢୀଙ୍କୁ ୧ ଲକ୍ଷ ଟଙ୍କା ଦାବୀ କରିଥିଲେ। ନଚେତ ସେମାନଙ୍କ ଫଟୋ ଏବଂ ଭିଡିଓକୁ ଭାଇରାଲ କରିବା ପାଇଁ ଧମକ ଚମକ ଦେଇଥିଲେ। ଘଟଣା ସ୍ଥଳରେ ଅଭିଯୁକ୍ତମାନଙ୍କୁ ୫୦ ହଜାର ଟଙ୍କା ଦେବା ସହ ପରେ ୫୦ ହଜାର ଟଙ୍କା ଦେବା ପାଇଁ ଶ୍ରୀପାଢୀ ସହମତି ପ୍ରକାଶ କରିଥିଲେ।

ଘଟଣା ସଂପର୍କରେ ଶ୍ରୀପାଢୀ ବିଷମକଟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଷମକଟକ ଥାନାରେ କେଶ ନଂ ୫ ତା ୧୫.୦୧.୨୦୨୦ ପ୍ରକାର ଧାରା ୪୧୯, ୩୪୧, ୩୨୩, ୩୮୫, ୩୮୬, ୨୯୪, ୫୦୬, ୫୦୭, ୩୪ ପ୍ରକାରେ ମାମଲା ରୁଜ୍ଜୁ ହୋଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ ହୋଇଥିଲା। ବିଷମକଟକ ଥାନା ଅଧିକାରୀ ଯୋଶବନ୍ତ ହିଆଲ, ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ୱାଇଁଙ୍କ ନେତ୍ୃତ୍ୱରେ ଟିମ ଗଠନ ହୋଇଥିଲା ।

ତେବେ ଗତ ରାତି ଗୌରୀ ହିଆଲଙ୍କୁ ଗିରଫ କରାଯାଇଥିଲା। ଏଥି ସହ ଜଣେ ନାବାଳକୁ ମଧ୍ୟ ଗିରଫ କରାଯାଇ ସୁଧାର ଗୃହକୁ ପଠା ଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ହୋଣ୍ଡା ଗ୍ଲାମର ମୋଟର ସାଇକେଲ, ଗୋଟିଏ ୟମା ଏଫଜେଡ ଏସ ମୋଟର ସାଇକଲ ଏବଂ ୩ଟି ମୋବାଇଲ ଫୋନ ଜବତ କରାଯାଇଛି।