ଦେବଗଡ,ଏନ୍ଏନ୍ଏସ୍: ଲଇମୁରା ଫାଣ୍ଡି ଅନ୍ତର୍ଗତ ନୂଆଡିହି ଗ୍ରାମ ଛକ ନିକଟରେ ଟ୍ରକ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଦେଓପାଣି ଗ୍ରାମର ଡମ୍ବରୁ ସେଣ୍ଢ ଓ ସେହି ଗ୍ରାମର ବାଦୁ କିସାନ ଏକ ବାଇକ୍ ଯୋଗେ ସମ୍ବଲପୁର ଜିଲ୍ଲାର ଭୋଜପୁରରୁ କାମ ସାରି ନିଜ ଗ୍ରାମକୁ ଫେରୁଥିବାବେଳେ ନୂଆଁଡିହି ଛକ ନିକଟରେ ସେମାନଙ୍କୁ ସମ୍ମୁଖ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ମାଲବୋଝେଇ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଦୁର ମୃତ୍ୟୁ ହୋଇଥିଲା।
ସ୍ଥାନୀୟ ଲୋକେ ଗୁରୁତର ଡମ୍ବୁରୁକୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ବାଇକକୁ ଜବତ କରି ତଦନ୍ତ ଚଳାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।