ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାସ୍ତାରେ ଥିବା ଚାଡ୍ରି ହରିହରପୁର ଗ୍ରାମ ନିକଟସ୍ଥ ୧୪୩ ନଂ ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଦ୍ୱୟଙ୍କ ପରିଚୟ ମିଳି ପାରି ନ ଥିବାବେଳେ ଅନ୍ଧାର ରାତିରେ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲି ଯାଇଥିବାର ଆଶଙ୍କା କରାଯାଉଛି।
ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସୂଚନା ପାଇ କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରିବା ସହିତ ଦୁର୍ଘଟଣା ଗ୍ରସ୍ତ (ଓଡି-୧୪ଏଚ-୪୩୧୧) ବାଇକ ଟିକୁ ମଧ୍ୟ ଜବତ କରିଛି। ଆସନ୍ତା କାଲି ପରିଚୟ ମିଳିବା ପରେ ଶବ ଦ୍ୱୟ ବ୍ୟବଚ୍ଛେଦ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଫାଣ୍ଡି ସୂତ୍ରରୁ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି।