କେସିଙ୍ଗାରେ ୨ ଦିନିଆ ବୁଢ଼ା ଡଙ୍ଗର ମହୋତ୍ସବ 

କେସିଙ୍ଗା,ଏନ୍ ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଅଗ୍ରଣୀ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢ଼ାଡଙ୍ଗର ଲୋକ ମହୋତ୍ସବ ଚଳିତ ମାସ ୨୪ ଓ ୨୫ ତାରିଖରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏନେଇ ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର ଓ ସମ୍ପାଦକ ଅକ୍ଷୟ କୁମାର ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଆସାମର ବିହୁ ଓ ଝୁମେର, ଗଞ୍ଜାମର ଯୋଡ଼ିଶଙ୍ଖ, ଟିଟଲାଗଡ଼ର ଢାପ୍‌, ମହେଶ୍ୱର ସରାଫ ଓ ତାଙ୍କ ସାଥୀଙ୍କ ଘୁମୁରା, ପୁରୀର ଗୋଟିପୁଅ, ଜେମସା, ନୟାଗଡ଼ର ପ୍ରସିଦ୍ଧ ଜୁମ୍ପା, ମାଦ୍ ଲି ଓ ଢୋଲ ମହୁରୀ ସହ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବ, ଏକକ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ମହୋତ୍ସବ ପାଇଁ କେସିଙ୍ଗା ସହରର ସମସ୍ତ ସ୍କୁଲରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ସହ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଜିଲ୍ଲାର ୮ଜଣ ବ୍ୟକ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ମାନିତ କରାଯିବ । ଲୋକକଳା ପାଇଁ ଅନାଦି ଦେବ୍ ଗୁନିଆ, କୃଷି କ୍ଷତ୍ରରେ ମାନସ ରଞ୍ଜନ ସାହୁ, ଅବନୀ ରଞ୍ଜନ ମହାପାତ୍ର, ଦିନେଶ ଜୈନ୍ ସେବା ସମ୍ମାନ ପାଇବେ । ସେହିପରି ଅବିନାଶ ମୁଣ୍ଡ ସାମ୍ବାଦିକତା ଏବଂ ଚନ୍ଦ୍ର ଭାନୁ ମଲୋନା ଓ ଦେବେନ୍ଦ୍ର ବିଶୀ କଳା କ୍ଷେତ୍ରରେ ସମ୍ମାନ ପାଇବେ । ଏହି ସମ୍ମିଳନୀରେ ଅନୁଷ୍ଠାନର ଅମୀୟ ନନ୍ଦ, ରମେଶ ଜେନା ଓ ବିକ୍ରମ ବାରିକଙ୍କ ସହ ଅନ୍ୟ କର୍ମକର୍ତ୍ତା ଓ ସଭ୍ୟମାନେ ଉପସ୍ଥିତ ଥିଲେ ।