ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ୨ଜଣଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓ ଦୌରାଜଜ୍ ଆଜି ଗଞ୍ଜେଇ ଚୋରା ଚାଲାଣ ମାମଲାର ବିଚାର କରି ୨ ଜଣ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି। ଆଜି ମାଲକାନଗିରି ଜିଲ୍ଲା ଓ ଦୌରାଜଜ୍ ଏସ.ରେଖାପ୍ରସାଦ ଉକ୍ତ ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି। ଜୋରିମାନା ନଦେଲେ ଆଉ ୧ ବର୍ଷ ଅଧିକ କାରାଦଣ୍ଡ ଦିଆଯିବା ନେଇ ଜଜ୍ ତାଙ୍କ ଶୁଣାଣିରେ କହିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ବିଜୟ କୁମାର ମହାନ୍ତି ଏହି ମୋକଦ୍ଦମାକୁ ଲଢ଼ୁଥିଲେ।

ସୂଚନାନୁଯାୟୀ, ଗତ ୨୦୧୯ ମସିହା ଜୁନ ୫ ତାରିଖ ରାତିରେ ମାଲକାନଗିରି ଆଦର୍ଶ ଥାନା ପୁଲିସ ଶିଖପାଲ୍ଲୀ-ପଡ଼ିଆ ରାସ୍ତାରେ ପେଟ୍ରୋଲିଂ କରୁଥିବାବେଳେ ଏକ ୪୦୭ ମିନି ଟ୍ରକ ଗାଡ଼ି ଦ୍ରୁତ ଗତିରେ ଆସୁଥିବା ଦେଖିଥିଲେ। ପରେ ଏହି ଗାଡ଼ିକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୧୭ଟି ବସ୍ତା ଥିବା ଦେଖିଥିଲେ। ପରେ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣା ପଡ଼ିଥିଲା। ଆଉ ଏଥିରେ ସଂପୃକ୍ତ କାଲିମେଳା ଥାନା ଅନ୍ତର୍ଗତ ଏମପିଭି-୨୩ ଗ୍ରାମର ମନୋଜ ପଟ୍ଟନାୟକ ଓ ଏମପିଭି-୨୯ ଗ୍ରାମର ମୋତିଲାଲ ମଣ୍ଡଳଙ୍କୁ ଗିରଫ କରିବା ସହ ଗାଡ଼ି ଓ ଗଞ୍ଜେଇ ଜବତ କରିଥିଲେ। ପରେ ଓଜନ କରିବାରୁ ସେଥିରେ ୫୦୩ କିଲୋଗ୍ରାମ ୪୦୦ ଗ୍ରାମ ଗଞ୍ଜେଇ ଥିବା ଜଣା ପଡ଼ିଥିଲା। ପରେ ତଦନ୍ତ ଅଧିକାରୀ ମାନସ ରଞ୍ଜନ ସ୍ୱାଇଁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଥିଲେ।